Mon. Feb 23rd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବାକୁ ଓଡ଼ିଶା ସରକାର ଯୋଜନା କରୁଛନ୍ତି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ସୂଚନା ଦେଇଛନ୍ତି।ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ଚାଲୁଥିବା ପାଠ୍ୟକ୍ରମକୁ ବଦଳାଇ ନୂତନ ପାଠ୍ୟକ୍ରମ ଲାଗୁ କରାଯିବ।

ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଛି।ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ। ଏଥିପାଇଁ ଦୀର୍ଘମିଆଦି ପ୍ରସ୍ତୁତି ଚାଲିଛି ଏବଂ ପର୍ଯ୍ୟାୟକ୍ରମେ ନୂତନ ପାଠ୍ୟକ୍ରମକୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଲାଗୁ କରାଯିବ।ଏହା ପୂର୍ବରୁ ଶିକ୍ଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା–୨୦୨୫’ର ଉନ୍ମୋଚନ କରିଥିଲେ।

ଏହି ଢାଞ୍ଚା ଜାତୀୟ ଶିକ୍ଷା ନୀତି (NEP–୨୦୨୦) ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ବିଦ୍ୟାଳୟ ଶିକ୍ଷା ପ୍ରଣାଳୀକୁ ଜାତୀୟ ସ୍ତରର ଶିକ୍ଷା ଲକ୍ଷ୍ୟ ସହ ସମକକ୍ଷ କରାଯିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ନୂତନ ପାଠ୍ୟକ୍ରମ ଲାଗୁ ହେଲେ ଛାତ୍ରଛାତ୍ରୀମାନେ ଦକ୍ଷତା ଉନ୍ନୟନ, ଆଧୁନିକ ଜ୍ଞାନ, ପ୍ରୟୋଗାଧାରିତ ଶିକ୍ଷା ଓ ଜୀବନମୂଲ୍ୟ ଆଧାରିତ ଶିକ୍ଷାର ସୁଯୋଗ ପାଇବେ ବୋଲି ବି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *