Sat. Feb 21st, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସ ୨୭ ଓ ୨୮ ତାରିଖରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ବୋଲି ଆନ୍ତର୍ଜାତୀୟ କୂଟନୈତିକ ସୂତ୍ରରୁ ସୂଚନା ମିଳିଛି। ଯଦି ଏହି ଗସ୍ତ ହୁଏ, ତେବେ ୨୦୧୭ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇସ୍ରାଏଲ୍ ଯାତ୍ରା ହେବ। ଏହି ଗସ୍ତ ଭାରତ–ଇସ୍ରାଏଲ୍ ରଣନୈତିକ ସହଯୋଗକୁ ଆହୁରି ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଏହି ଗସ୍ତ ସମ୍ଭବ ହେବାକୁ ଯାଉଛି।

ଏଥିରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ ଓ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଆଶା କରାଯାଉଛି। ମଧ୍ୟପ୍ରାଚ୍ୟର ବର୍ତ୍ତମାନ ତଣାବପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏହି ଗସ୍ତକୁ ଭାରତର ବୈଦେଶିକ ନୀତି ପାଇଁ ବିଶେଷ ମହତ୍ତ୍ୱପୂର୍ଣ୍ଣ ଭାବରେ ଦେଖାଯାଉଛି।ଏହି ସମ୍ଭାବ୍ୟ ଗସ୍ତ ପାକିସ୍ତାନର ଚିନ୍ତା ବଢ଼ାଇଦେଇଛି। ନିକଟରେ ପାକିସ୍ତାନ ଉପରେ ହମାସକୁ ସମର୍ଥନ କରୁଥିବା ଅଭିଯୋଗ ଲାଗିଛି। ରିପୋର୍ଟ ଅନୁଯାୟୀ, ହମାସ ପ୍ରତିନିଧିମାନେ ପାକିସ୍ତାନର କିଛି ସ୍ଥାନୀୟ ଆତଙ୍କବାଦୀ ସଂଗଠନ, ବିଶେଷକରି ଲସ୍କର-ଏ-ତୈବା ସହ ସମ୍ପର୍କ ରଖୁଥିବା ଦେଖାଯାଇଛି, ଯାହା ଭାରତ ସହ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ଗଭୀର ଚିନ୍ତାର କାରଣ। ଏହି ପରିସ୍ଥିତିରେ ଭାରତ ପାଇଁ ଇସ୍ରାଏଲ ସହ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ଆହୁରି ଜରୁରୀ ହୋଇପଡ଼ିଛି।

ଦୁଇ ଦେଶ ମଧ୍ୟରେ ଡ୍ରୋନ୍, କ୍ଷେପଣାସ୍ତ୍ର ପ୍ରତିରୋଧ, ସାଇବର ସୁରକ୍ଷା ଓ ଗୁପ୍ତଚର ସୂଚନା ଆଦାନ–ପ୍ରଦାନକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ମଧ୍ୟରେ ଇସ୍ରାଏଲର ଉନ୍ନତ ‘ଆଇରନ୍ ବିମ୍’ ଲେଜର ପ୍ରତିରକ୍ଷା ପ୍ରଣାଳୀକୁ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ, ଯାହା ଡ୍ରୋନ୍ ଓ ରକେଟ୍ ଆକ୍ରମଣକୁ ନିଷ୍କ୍ରିୟ କରିବାରେ ସକ୍ଷମ।ସାର୍ବିକ ଭାବେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭାବ୍ୟ ଇସ୍ରାଏଲ ଗସ୍ତ ଭାରତ–ଇସ୍ରାଏଲ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଯିବା ସହ ପାକିସ୍ତାନର ଆତଙ୍କବାଦୀ ଚାଳକୁ ମୁହଁ ଦେବାରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *