ନ୍ୟୁଜ ଡେକ୍ସ : ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ସହ ଓଡ଼ିଶା ପ୍ରବଳ ଜାଡରେ କମ୍ପୁଛି। ହିମାଳୟ ଅଞ୍ଚଳରୁ ବହୁଥିବା ଶୀତଳ ହେମାଳ ପବନ, ନିର୍ମଳ ଆକାଶ ଓ ଘନ କୁହୁଡ଼ିର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ରାତି ତାପମାତ୍ରା ଭାରି କମିଯାଇଛି। ରାଜ୍ୟର ୧୧ଟି ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ତଳକୁ ଖସିଥିବା ଜଣାପଡ଼ିଛି।
ପାଣିପାଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ଯେ, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ଶୀତର ପ୍ରଭାବ ଏହି କିଛି ଦିନ ଯାଏଁ ଜାରି ରହିବ। ବିଶେଷକରି ଉପକୂଳ, ମଧ୍ୟ ଓ ଉତ୍ତର ଓଡ଼ିଶାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ୧୧ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।ଏପଟେ ଶୀତର ପ୍ରଭାବ ଆହୁରି ତୀବ୍ର ହେବାର ପ୍ରମାଣ ଭାବେ ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର କିଛି ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଥିବା ଖବର ମିଳିଛି। ସକାଳୁ ସକାଳୁ ଘାସ, ଚାଷଜମି ଓ ଗଛପତ୍ର ଉପରେ ଧଳା ତୁଷାରର ଆବରଣ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଶୀତର ତୀବ୍ରତାକୁ ଅନୁଭବ କରିଛନ୍ତି।
ଶୀତ ବଢ଼ିବା ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସକାଳ ଓ ରାତି ସମୟରେ ଲୋକେ ଅତ୍ୟାବଶ୍ୟକ କାମ ଛଡ଼ା ବାହାରକୁ ବାହାରିବାକୁ ଟାଳୁଛନ୍ତି। କୁହୁଡ଼ି ହେତୁ ସକାଳ ବେଳେ ରାସ୍ତାଘାଟରେ ଦୃଶ୍ୟମାନତା କମିଯାଉଥିବାରୁ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି।ପାଣିପାଗ ବିଭାଗ ଲୋକଙ୍କୁ ସକାଳ ସମୟରେ ସତର୍କ ରହିବା, ଆବଶ୍ୟକ ନଥିଲେ ଘରୁ ବାହାରିବା ନାହିଁ ଏବଂ ଶୀତଜନିତ ରୋଗରୁ ବଞ୍ଚିବା ପାଇଁ ଗରମ ପୋଷାକ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ଆଗାମୀ କିଛି ଦିନ ଓଡ଼ିଶାରେ ଜାଡର ଦାଉ ଅବ୍ୟାହତ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

