ନ୍ୟୁଜ ଡେକ୍ସ: ସାରା ରାଜ୍ୟରେ ବଢ଼ିଛି ଥଣ୍ଡା । ଅସହ୍ଯ ଜାଡରେ ଥରୁଛି ଓଡିଶା । ରାତି ତାପମାତ୍ରା ସବୁଠି କମିଛି ।ପୂର୍ବ ରାତି ତୁଳନାରେ ୧ ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍ କମିଯାଇଛି । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ରାତି ତାପମାତ୍ରା କମିବା ଯୋଗୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପାରଦ ୪.୮ଡିଗ୍ରୀକୁ କମିଛି।
ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଛି। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଶେଷ ପରିବର୍ତ୍ତନ ହେବନି। ଫଳରେ ରାଜ୍ୟରେ ଶୀତ ପ୍ରକୋପ ଲାଗି ରହିବ। ୫ ତାରିଖ ପରଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ସକାଳ ପାଇଁ ଅନୁଗୁଳ, କନ୍ଧମାଳ ଓ ଢେଙ୍କାନାଳରେ ଘନ କୁହୁଡି ହେବା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ ଓ ସୁନ୍ଦରଗଡରେ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ବିଶେଷକରି, ୨୦୦ ମିଟରରୁ କମ୍ ରହିପାରେ ଦୃଶ୍ୟମାନ କ୍ଷମତା । କାଲୁଆ ପବନ ସହ ଥଣ୍ତା ଜନ ଜୀବନକୁ ପ୍ରଭାବିତ କରିବ। ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଯାଉନି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତେବେ ୫ ତାରିଖରୁ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବ ।
