ନ୍ୟୁଜ ଡେକ୍ସ: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ଦାନା । ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡିଶା ଦେଇ ଅତିକ୍ରମ କରିବ । ଆହୁରି ଦୁର୍ବଳ ହୋଇ ଆଜି ୟେଲୋ ମାର୍କ ଲୋ ପ୍ରେସରରେ ପରିଣତ ହେବ । ଫଳରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗି ରହିଛି ।ଗୋଟେ ପଟେ ବର୍ଷା ପାଣି ଅନେକ ଲୋକଙ୍କ ଘରେ ପଶିଥିବା ବେଳେ ବନ୍ୟାଜଳକୁ ନେଇ ଏବେ ଛାନିଆ ନଦୀକୂଳିଆ ବାସିନ୍ଦା।
ବାତ୍ୟା ଦାନା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୬୭.୬ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୧୬୧ ମିମି, ଯାଜପୁରରେ ୧୪୩, ବାଲେଶ୍ୱରରେ ୮୭.୬, କେନ୍ଦ୍ରାପଡ଼ାରେ ୬୯.୨, ବାରିପଦାରେ ୫୨, କଟକରେ ୨୫.୪, ପାରାଦୀପରେ ୧୪.୮, ଜଗତସିଂହପୁରରେ ୨୧.୨ , କେନ୍ଦୁଝରରେ ୧୭.୩ ଏବଂ ଭୁବନେଶ୍ବରରେ ୮.୪ ମିମି ବର୍ଷ ରେକର୍ଡ କରାଯାଇଛି। ସେହିପରି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳକୁ ଜାରି ହୋଇଛି ଅରେଞ୍ଜ ସତର୍କତା । ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ପାଣିପାଗ ବିଭାଗ । ଗତକାଲି ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ପାଖରେ ମାଟି ଛୁଇଁଲା, ଯେଉଁବାଟ ଦେଇ ଗଲା, ତାଣ୍ଡବ ରଚିଲା । ହବାଳିଖଟିରେ ଲ୍ୟାଣ୍ଡଫଲ୍ ପରେ ପ୍ରାୟ ୯ ଘଣ୍ଟା ଧରି ଚାଲିଲା ସ୍ଥଳଭାଗରେ ପ୍ରବେଶ ପ୍ରକ୍ରିୟା । ବର୍ଷା ଓ ପବନ ସାଙ୍ଗକୁ କୂଳରେ ପିଟି ହେଉଥିଲା ସମୁଦ୍ରର ଉଚ୍ଚ ଜୁଆର ।