Sat. Feb 21st, 2026

ନ୍ୟୁଜ ଡେକ୍ସ : ପ୍ରବଳ ତୁଷାରପାତ, କଟକଟିଆ ଥଣ୍ଡା ଏବଂ ଶୂନ୍ୟ ଡିଗ୍ରୀ ତଳେ ତାପମାତ୍ରା ମଧ୍ୟରେ ସୋମବାର ସକାଳେ ଜମ୍ମୁ ଓ କାଶ୍ମୀରରେ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଥିବା ଯୋଗୁଁ କାଶ୍ମୀର ଉପତ୍ୟକାର ବିଭିନ୍ନ ଅଞ୍ଚଳରେ ଝଟକା ତୀବ୍ର ଭାବରେ ଅନୁଭୂତ ହୋଇଥିଲା। ହଠାତ୍ ଘଟିଥିବା ଏହି କମ୍ପନ ଦେଖି ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ନିସ୍କାସିତ ହୋଇଥିଲେ।

ବିଶେଷକରି ବାରାମୁଲ୍ଲା ଓ ଆସପାସ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ତଥାପି ସନ୍ତୋଷଜନକ ଖବର ହେଲା—ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।ସେହିପରି, ସୋମବାର ପୂର୍ବରୁ ରବିବାର ଭୋର ପ୍ରାୟ ୪ଟା ସମୟରେ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହି ଭୂମିକମ୍ପ ୨୦ କିଲୋମିଟର ଗଭୀରତାରେ ଘଟିଥିଲା ଏବଂ ତାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ମାପାଯାଇଥିଲା। ଏହାର ପ୍ରଭାବ ସୀମିତ ଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଏହା ପୂର୍ବରୁ ବୁଧବାର ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଥିବା ରିପୋର୍ଟ ମିଳିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା।

ଏକାଧିକ ଦେଶରେ ଲଗାତାର ଭୂମିକମ୍ପ ଘଟଣା ବିଶ୍ୱସ୍ତରରେ ଭୂତତ୍ତ୍ୱିକ ଚଳଚଳାହଟ ପ୍ରତି ଚିନ୍ତା ବଢ଼ାଇଛି।ବିଶେଷଜ୍ଞମାନେ ଲୋକମାନଙ୍କୁ ଆପାତକାଳୀନ ସତର୍କତା ମାନିବା, ସୁରକ୍ଷିତ ସ୍ଥାନ ଚିହ୍ନଟ କରିବା ଏବଂ ସରକାରୀ ସୂଚନାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏପରି ପ୍ରାକୃତିକ ଆପଦା ସମୟରେ ସଚେତନତା ଓ ସମୟୋଚିତ ପଦକ୍ଷେପ ହିଁ ସବୁଠାରୁ ବଡ଼ ସୁରକ୍ଷା।

Leave a Reply

Your email address will not be published. Required fields are marked *