Thu. Oct 23rd, 2025

ନ୍ୟୁଜ ଡେକ୍ସ: କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବରଙ୍କ ଆଖିରେ ଥିଲା କୃତଜ୍ଞତାର ଅଶ୍ରୁ। ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ବୁଝିବା ସହ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ। ଏପରିକି ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି ସେ କହିଥିଲେ। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ। ପ୍ରଭାସିନୀଙ୍କ ସ୍ୱାମୀ ଜଗବନ୍ଧୁ ମାହାଲି ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଦେବୀଙ୍କ ସ୍ୱାମୀ ଲୋକନାଥ ଶବର ଓ.ଏ.ପି.ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଉଭୟ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖରେ ପିସିଆର୍ ଭ୍ୟାନ୍ରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଦେବୀ ଓ ପ୍ରଭାସିନୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *