ନ୍ୟୁଜ ଡେକ୍ସ : ଫିଲ୍ମ ଷ୍ଟାରମାନଙ୍କ ପ୍ରତି ପ୍ରଶଂସକଙ୍କ ଭକ୍ତି ଓ ଆବେଗ ଭାରତୀୟ ସିନେମା ସଂସ୍କୃତିର ଏକ ଅଲଗା ପରିଚୟ। କେହି ପ୍ରିୟ ଅଭିନେତାଙ୍କ ପାଇଁ ମନ୍ଦିର ନିର୍ମାଣ କରନ୍ତି, କେହି ଶରୀରରେ ଟାଟୁ କରାନ୍ତି, ଆଉ କେହି ନିଜ ଲୁକ୍ ପରିବର୍ତ୍ତନ କରି ସେମାନଙ୍କ ପରି ଦେଖାଯିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏହି ଭକ୍ତି ଯେତେବେଳେ ଅନିୟନ୍ତ୍ରିତ ହୋଇଯାଏ, ସେତେବେଳେ ଏହା ଉତ୍ସବ ନୁହେଁ, ବରଂ ବିପଦର କାରଣ ହୋଇଯାଏ।
ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି।ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ ‘ଦି ରାଜା ସାବ’ ମୁକ୍ତି ପାଇବା ସହିତ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହର ସୀମା ରହିଲା ନାହିଁ। ଜାନୁଆରୀ ୯ ତାରିଖରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଭାରତରେ ପ୍ରଥମ ଦିନରେ ୫୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। ଯଦିଓ ବକ୍ସଅଫିସରେ ଆରମ୍ଭ ଭଲ ରହିଥିଲା, ଦର୍ଶକଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ‘କଳକି ୨୮୯୮ AD’ ପରେ ପ୍ରଭାସଙ୍କ ଏହା ପରବର୍ତ୍ତୀ ଚଳଚ୍ଚିତ୍ର ହୋଇଥିବାରୁ ଫ୍ୟାନ୍ମାନଙ୍କ ଆଶା ବେଶ ଉଚ୍ଚ ଥିଲା। ମାରୁତିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ନେଇ ଥିଏଟରଗୁଡ଼ିକରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
କିନ୍ତୁ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ଅଶୋକ ଥିଏଟରରେ ଯାହା ଘଟିଲା, ତାହା ଉତ୍ସବର ସୀମାକୁ ଅତିକ୍ରମ କରିଗଲା। ପ୍ରଭାସଙ୍କ ଏଣ୍ଟ୍ରି ସିନ୍ ସମୟରେ କିଛି ପ୍ରଶଂସକ ସ୍କ୍ରିନ୍ ସାମ୍ନାରେ ଆଳତି କରିବା ସହ ବାଣ ଫୁଟାଇଥିଲେ। ଥିଏଟର ଭିତରେ ପ୍ରାୟ ୨୫ କିଲୋଗ୍ରାମ କନଫେଟି (ରଙ୍ଗୀନ କାଗଜ ଭରା ବାଣ) ଫୁଟାଯାଇଥିଲା। ଏହି କନଫେଟିରେ ହଠାତ୍ ନିଆଁ ଲାଗିଯାଇ, କିଛି ସମୟ ପାଇଁ ଥିଏଟର ଭିତରେ ଆତଙ୍କ ସୃଷ୍ଟି ହୋଇଥିଲା।ଭାଗ୍ୟକ୍ରମେ, ସେଠାରେ ଥିବା ଦର୍ଶକ ଓ କର୍ମଚାରୀମାନେ ସମୟରେ ନିଆଁକୁ ଆୟତ୍ତ କରିପାରିଥିଲେ, ଯାହା ଫଳରେ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିଲା। ତଥାପି, ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି।
ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ, ଏପରି ଅନିୟନ୍ତ୍ରିତ ଉତ୍ସବ ଯେକୌଣସି ସମୟରେ ବଡ଼ ଅଘଟଣକୁ ଆମନ୍ତ୍ରଣ ଦେଇପାରେ।କିଛି ଦର୍ଶକ ପ୍ରଶଂସକମାନଙ୍କ ଏହି କାର୍ଯ୍ୟକୁ କଡ଼ା ଭାବେ ନିନ୍ଦା କରି, ଏହାକୁ “ସିନେମା ଅଭିଜ୍ଞତାର ଅସମ୍ମାନ” ବୋଲି କହିଛନ୍ତି। ସେମାନଙ୍କ ମତରେ, ଫିଲ୍ମ ଦେଖିବାକୁ ଆସିଥିବା ସାଧାରଣ ଦର୍ଶକଙ୍କ ସୁରକ୍ଷା ଓ ସୁବିଧାକୁ ଏପରି କାର୍ଯ୍ୟ ଗୁରୁତର ଭାବେ ବାଧା ଦେଉଛି।
ଏହି ଘଟଣା ପରେ ପୁଣିଥରେ ପ୍ରଶ୍ନ ଉଠିଛି ପ୍ରଶଂସା ଓ ଉତ୍ସବର ସୀମା କେଉଁଠି? ଥିଏଟର କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ଏପରି ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ନିଆଯିବ କି ନାହିଁ, ସେଥିପାଇଁ ସାଧାରଣ ଲୋକ ଅପେକ୍ଷାରେ ଅଛନ୍ତି। କାରଣ, ଭକ୍ତି ଯଦି ସୁରକ୍ଷାକୁ ଅବହେଳା କରେ, ତେବେ ତାହା ଉତ୍ସବ ନୁହେଁ ବିପଦର ପୂର୍ବସୂଚନା ହୋଇଯାଏ।

