ନ୍ୟୁଜ ଡେକ୍ସ : ନୂଆଦିଲ୍ଲୀରେ ଶନିବାର କେନ୍ଦ୍ର ସରକାରଙ୍କ ପ୍ରାକ-ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନେ ଅଂଶନେଇଥିଲେ।ଓଡ଼ିଶା ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୈଠକରେ ଯୋଗଦେଇ ୨୦୨୬–୨୭ କେନ୍ଦ୍ରୀୟ ବଜେଟ ପାଇଁ ରାଜ୍ୟର ମୁଖ୍ୟ ଆବଶ୍ୟକତା ଉପସ୍ଥାପନ କରିଛନ୍ତି।
ଏହି ଅବସରରେ ସେ ଓଡ଼ିଶା ସମ୍ପର୍କିତ ବିଭିନ୍ନ ଦାବି ସମ୍ମିଳିତ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।ବୈଠକରେ ‘ପୂର୍ବୋଦୟ’ ଭିଜନ ଅନୁଯାୟୀ ଓଡ଼ିଶାର ଭିତ୍ତିଭୂମି ବିକାଶ, ନଗରୀକରଣ ଓ ପୁଞ୍ଜି ନିବେଶ ପାଇଁ କେନ୍ଦ୍ରୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ଧାନ କ୍ରୟ, ସଡ଼କ–ରାଜପଥ ଉନ୍ନୟନ, ଜଳ ଜୀବନ ମିଶନ ଓ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ପାଇଁ ଅଧିକ ଅନୁଦାନ ଦାବି କରାଯାଇଛି।ଏହି ବୈଠକରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ଏହି ପ୍ରସ୍ତାବଗୁଡ଼ିକ ପ୍ରତିଫଳିତ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।

