Thu. Feb 26th, 2026

ନ୍ୟୁଜ ଡେକ୍ସ : ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାର ଲୋଭ ଦେଖାଇ ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏହି ଠକେଇ ଘଟଣାରେ ପୋଲିସ ଏସଓଜିରେ କାର୍ଯ୍ୟରତ ଜଣେ ଯବାନଙ୍କ ନାମ ଜଡିତ ଥିବା ଅଭିଯୋଗ ହୋଇଛି, ଯାହା ଘଟଣାକୁ ଆହୁରି ଗୁରୁତର କରିଦେଇଛି।ଅଭିଯୋଗ ଅନୁସାରେ, ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଭଟ୍ଟସାହି ଅଞ୍ଚଳର ସତ୍ୟଜିତ ମିଶ୍ରଙ୍କୁ ଓଡ଼ିଶା ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି କରାଇ ଦେବାକୁ ନିକଟସ୍ଥ ନଦୀଗାଁ ଅଞ୍ଚଳର ମୁନନ୍ ଦାସ ପ୍ରତିଶ୍ରୁତି ଦେଇଥିଲେ।

ଏହା ପାଇଁ ସେ ୬ ଲକ୍ଷ ଟଙ୍କା ସହ ଅରିଜିନାଲ ମାଟ୍ରିକ୍ ସାର୍ଟିଫିକେଟ ଦେବାକୁ କହିଥିଲେ।ସତ୍ୟଜିତ ପ୍ରାୟ ଅଢ଼େଇ ବର୍ଷ ତଳେ ଅନଲାଇନ ମାଧ୍ୟମରେ ୩ ଲକ୍ଷ ୨୦ ହଜାର ଟଙ୍କା ମୁନନଙ୍କୁ ଦେଇଥିବା ସହ ତାଙ୍କର ମାଟ୍ରିକ୍ ସାର୍ଟିଫିକେଟ ମଧ୍ୟ ହସ୍ତାନ୍ତର କରିଥିଲେ।ତେବେ ଦୀର୍ଘ ସମୟ ଅତିତ ହେବା ସତ୍ତ୍ୱେ ସତ୍ୟଜିତଙ୍କୁ ନିଯୁକ୍ତି ମିଳିନଥିଲା। ଏହା ପରେ ସେ ନିଜ ଟଙ୍କା ଓ ସାର୍ଟିଫିକେଟ ଫେରସ୍ତ ପାଇଁ ମୁନନଙ୍କୁ ବହୁବାର ଅନୁରୋଧ କରିଥିଲେ, କିନ୍ତୁ ଅଭିଯୁକ୍ତ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଶେଷରେ ନିରାଶ ହୋଇ ସତ୍ୟଜିତ ଧୂଷୁରି ଥାନାରେ ଏତଲା ଦେଇଥିଲେ। ଏହା ପରେ ପ୍ରାୟ ଏକ ମାସ ପୂର୍ବେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି।

ତଥାପି ଅଭିଯୋଗକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତ ମୁନନ ଦାସ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ତାଙ୍କୁ ଗିରଫ କରାଯାଉନାହିଁ। ନ୍ୟାୟ ପାଇବା ଆଶାରେ ସତ୍ୟଜିତ ମିଶ୍ର ଏବେ ଭଦ୍ରକ ଏସପିଙ୍କ ନିକଟକୁ ଫେରାଦ ହୋଇ ଉଚିତ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନିଜ ଟଙ୍କା ଓ ସାର୍ଟିଫିକେଟ ଫେରସ୍ତ କରିବା ଦାବି କରିଛନ୍ତି।ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ, ପୋଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *