ନ୍ୟୁଜ ଡେକ୍ସ : ଫେବୃଆରୀ ୧୫ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ଜାଗର ଯାତ୍ରା ପାଳିତ ହେବ। ଏହାକୁ ନେଇ ଶୁକ୍ରବାର ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜାଗର ରାତି ୧୦ଟାରେ ମନ୍ଦିର ଚୁଡ଼ାରେ ମହାଦୀପ ଉଠିବାକୁ ସ୍ଥିର ହୋଇଛି।ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବାବେଳେ ସମସ୍ତ ନିଯୋଗ ପ୍ରମୁଖ ସେବାୟତ ଉପସ୍ଥିତ ଥିଲେ। ସେବାୟତମାନଙ୍କ ମତାମତକୁ ଗୁରୁତ୍ୱ ଦେଇ ଜାଗର ଦିନ ପାଇଁ ସ୍ୱତନ୍ତ୍ର ନୀତି–ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।ଚଳିତ ବର୍ଷ ମହାଦୀପ ଉଠିବା ସମୟରେ କୌଣସି ଅପ୍ରିତିକର ପରିସ୍ଥିତି କିମ୍ବା ନୀତିକାନ୍ତିରେ ବିଶୃଙ୍ଖଳା ନ ଘଟିବାକୁ ନିଯୋଗ ପକ୍ଷରୁ ବିଭିନ୍ନ ସୁଧାର ଆଣିବା ଉପରେ ଜୋର ଦିଆଯାଇଛି।
ବୈଠକରେ ଅତିରିକ୍ତ କାର୍ଯ୍ୟନିର୍ବହୀ ଅଧିକାରୀ ହେମନ୍ତ ଭାରିମଲ୍ଲଙ୍କ ସହ ମନ୍ଦିର କାର୍ଯ୍ୟାଳୟର କର୍ମଚାରୀମାନେ ଓ ବିଭିନ୍ନ ନିଯୋଗ ପ୍ରତିନିଧି ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ମହାସୁଆର, ବ୍ରାହ୍ମଣ ନିଯୋଗର ବିରଞ୍ଚି ନାରାୟଣ ପତି, ରାଜେନ୍ଦ୍ର ସମର୍ଥା ଏବଂ ଅଞ୍ଚଳ ବଟୁ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ସମନ୍ୱୟରେ କାମ କରିବାକୁ ସଂକଳ୍ପ ନେଇଛନ୍ତି।

