ନ୍ୟୁଜ ଡେକ୍ସ :ରାଜ୍ୟର ସାଧାରଣ ଜନତାଙ୍କ ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ଭାବେ ଶୁଣିବା ପାଇଁ ଆସନ୍ତା ସୋମବାର, ଅର୍ଥାତ୍ ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଶୁଣାଣି ଭୁବନେଶ୍ୱରର ଅଶୋକ ନଗର, ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଦିନ ୧୧ଟାରୁ ଆରମ୍ଭ ହେବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକୁ ସିଧାସଳଖ ଶୁଣିବେ ଏବଂ ସମାଧାନ ପାଇଁ ସମ୍ପର୍କିତ ବିଭାଗକୁ ନିର୍ଦ୍ଦେଶ ଦେବେ। ଏହା ରାଜ୍ୟ ସରକାରଙ୍କ ଜନମୁଖୀ ପ୍ରଶାସନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।ଏହି ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେବା ପାଇଁ ସାଧାରଣ ଲୋକମାନଙ୍କୁ ପୂର୍ବରୁ ଅନଲାଇନ ପଞ୍ଜୀକରଣ କରିବା ଅନିବାର୍ୟ। ପଞ୍ଜୀକରଣ ଆଜି, ଫେବୃଆରୀ ୬ ତାରିଖ, ଦିନ ୧୧ଟାରୁ ଆରମ୍ଭ ହୋଇଛି ଏବଂ ସର୍ବାଧିକ ୧୦୦୦ ଜଣ ଲୋକ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଏହା ଖୋଲା ରହିବ। ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ସହଜରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ସଫଳ ହେବା ପରେ ଆବେଦକମାନଙ୍କୁ ଏକ ସ୍ଵୀକାର ପତ୍ର ଦିଆଯିବ।
ଜନ ଅଭିଯୋଗ ଶୁଣାଣି ଦିନେ ସେହି ସ୍ଵୀକାର ପତ୍ର ସହିତ ନିଜର ବ୍ୟକ୍ତିଗତ ପରିଚୟ ପତ୍ର (ଆଧାର କାର୍ଡ, ଭୋଟର କାର୍ଡ ଇତ୍ୟାଦି) ଓ ଲିଖିତ ଅଭିଯୋଗ ପତ୍ର ନେଇ ନିର୍ଦ୍ଧାରିତ ସମୟରେ ଓ ସ୍ଥାନରେ ଉପସ୍ଥିତ ରହିବାକୁ ପଡ଼ିବ।ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇଦିଆଯାଇଛି ଯେ, ଏହି ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ଲୋକମାନେ ସରକାରଙ୍କ ନିକଟରେ ନିଜ ଅସୁବିଧା, ଦୁଃଖକଷ୍ଟ ଓ ସମସ୍ୟାଗୁଡ଼ିକୁ ସିଧାସଳଖ ଭାବେ ରଖିପାରିବେ। ଏହା ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କ ସୃଷ୍ଟି କରିବା ସହ ଦ୍ରୁତ ନ୍ୟାୟ ଓ ସମାଧାନ ପାଇଁ ଏକ କାର୍ଯ୍ୟକାରୀ ମାଧ୍ୟମ ହେବ।

