ନ୍ୟୁଜ ଡେକ୍ସ : ଓଡ଼ିଶାରେ ଚଳିତ ବର୍ଷ ଯୁକ୍ତ–୨ ଥିଓରି ପରୀକ୍ଷା ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହେବ। ଏହାକୁ ସୁଚାରୁ ଓ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ‘ପରୀକ୍ଷା ପରିଚାଳନା ହବ୍’ (Examination Management Hub – EMH) ବ୍ୟବସ୍ଥା ଗଢ଼ାଯାଇଛି, ଯାହା ମାଧ୍ୟମରେ ପ୍ରଶ୍ନପତ୍ର ସହିତ ସମସ୍ତ ଜରୁରୀ କାଗଜପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ।ପ୍ରଶ୍ନପତ୍ର ପଠାନୋର ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲି (ଶୁକ୍ରବାର) ଠାରୁ ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ଚାଲିବ।
ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୪ ଠାରୁ ୬ ତାରିଖ ପର୍ଯ୍ୟନ୍ତ ହେବ। ବିଶେଷକରି ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକୁ ଶୁକ୍ରବାର ଦିନେ ପ୍ରଶ୍ନପତ୍ର ପଠାଯିବ। ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ପରିବହନ ସମୟରେ ପ୍ରତ୍ୟେକ ଗାଡ଼ିରେ ଜଣେ ବନ୍ଧୁକଧାରୀ ପୁଲିସ କର୍ମଚାରୀ ରହିବେ।ଏଥର ରାଜ୍ୟର ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ସର୍ବମୋଟ ୪,୦୧,୬୩୨ ଜଣ ଛାତ୍ରଛାତ୍ରୀ ଯୁକ୍ତ–୨ ପରୀକ୍ଷା ଦେବେ। ଏହା ପାଇଁ ୨୧୧ଟି ହବ୍ ଚିହ୍ନଟ କରାଯାଇଛି, ଯାହାରେ ଯୁକ୍ତ–୨ କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ସବ୍–ଟ୍ରେଜେରି ସାମିଲ ଅଛି। ହବ ଗୁଡିକର ସୁପରଭାଇଜର ଭାବେ କଲେଜ ଅଧ୍ୟକ୍ଷମାନଙ୍କୁ ମୁଖ୍ୟତଃ ନିଯୁକ୍ତ କରାଯାଇଛି। ଯେଉଁଠାରେ ଅଧ୍ୟକ୍ଷ ନାହାନ୍ତି, ସେଠାରେ ବରିଷ୍ଠ ଅଧ୍ୟାପକଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସେମାନଙ୍କ ସହ ଡେପୁଟି ସୁପରଭାଇଜର, EMH ସହାୟକ, ଜଣେ ଲେଖାଏଁ ଅଧିକାରୀ ଓ ନାଇଟ୍ ୱାଚମ୍ୟାନ୍ ମଧ୍ୟ ନିଯୁକ୍ତ ରହିବେ।
ପ୍ରତ୍ୟେକ ହବ୍ର ଷ୍ଟ୍ରଙ୍ଗ୍ରୁମ୍କୁ ଅସ୍ଥାୟୀ ଟ୍ରେଜେରି ଭାବେ ଘୋଷଣା କରାଯିବ। ସେଠାରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ଓ ପୁଲିସ ପହରା ରହିବ। କେଉଁସି ପରିସ୍ଥିତିରେ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଏକା ଷ୍ଟ୍ରଙ୍ଗ୍ରୁମ୍ ଖୋଲି ପ୍ରବେଶ କରିପାରିବେ ନାହିଁ। ଉଭୟ ମିଶି ପରିଷଦ କର୍ମଚାରୀଙ୍କ ଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍ ଗ୍ରହଣ କରିବେ।ପରୀକ୍ଷା ଦିନ ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ନିଶ୍ଚିତ କରିବାକୁ ହବ୍ ସୁପରଭାଇଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୁଟ୍ ଚାର୍ଟ ପ୍ରସ୍ତୁତ କରି କିପରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଯିବ, ସେଥିରେ ସୁପରଭାଇଜର ମାନେ ଯୋଜନା କରିବେ।ପ୍ରତ୍ୟେକ ହବ୍ରୁ ଗୋଟିଏ ଅଧ୍ୟାପକ ପ୍ୟାନେଲ୍ ତିଆରି ହେବ, ଯେଉଁମାନେ ଅବ୍ଜରଭର ଭାବେ ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯିବେ ଓ ସେଠାରେ ପରୀକ୍ଷା ପରିଚାଳନା ଉପରେ ନଜର ରଖିବେ।
ହବ୍ କେନ୍ଦ୍ର ପାଇଁ ଅଲଗା ଅବ୍ଜରଭର ନଥିବା ବେଳେ, କେବଳ ଟ୍ୟାଗ୍ କଲେଜ ପାଇଁ ଅବ୍ଜରଭର କାମ କରିବେ। ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କେଉଁସି ପରିସ୍ଥିତିରେ ସିସିଟିଭି ରେକର୍ଡିଂ ବନ୍ଦ ହେବନି ଏବଂ ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂ ଉପରେ ମଧ୍ୟ ସ୍ଥାନୀୟ ପୁଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ଏହି ସମସ୍ତ କଡ଼ା ବ୍ୟବସ୍ଥା ମାଧ୍ୟମରେ ଯୁକ୍ତ–୨ ପରୀକ୍ଷାକୁ ସ୍ୱଚ୍ଛ, ସୁରକ୍ଷିତ ଓ ନିର୍ବିଘ୍ନ ଭାବେ ପରିଚାଳନା କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

