Thu. Mar 5th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଜିଜିପି ସ୍କୁଲ୍ ପଡିଆରେ ଘଟିଥିବା ୟୁଟ୍ୟୁବର୍ ରାହୁଲ ମହାରଣାଙ୍କ ହତ୍ୟା ଘଟଣାର ପର୍ଦାଫାସ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ଏହି ଘଟଣାରେ ସେନା ଯବାନ ତଥା ଦାଦା କଟକ ଜିଲ୍ଲା କାନ୍ପୁର ଅଞ୍ଚଳର ସଂଗ୍ରାମ କେଶରୀ ବେହେରା ଓରଫ ଶତୁରା (୩୭), ପୁତୁରା ସଂଗ୍ରାମ ବେହେରା ଓରଫ କୁନା (୨୪) ଓ ସମରେନ୍ଦ୍ର ବେହେରା ଓରଫ ମୁନା (୨୦)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ହତ୍ୟାରେ ବ୍ୟବହୃତ ଛୁରି ଜବତ ହୋଇଛି।

ଜୋନ୍–୫ ଏସିପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସିପି ବିଶ୍ୱରଂଜନ ସେନାପତି ଏହି ସୂଚନା ଦେଇଛନ୍ତି।ତଦନ୍ତରୁ ଜଣାପଡିଛି ଯେ, ଶତୁରାଙ୍କ ପରିବାର ଜିଜିପି କଲୋନୀରେ ଭଡାରେ ରହୁଥିଲେ। ବଡ଼ ପୁତୁରା କୁନା ସେଠାରେ ରହି ଏକ ଡେଲିଭରି ସଂସ୍ଥାରେ କାମ କରୁଥିଲେ। କିଛିଦିନ ପୂର୍ବରୁ ସେ ଛୁଟିରେ ଆସିଥିବାବେଳେ ସାନ ପୁତୁରା ମୁନା ମଧ୍ୟ ଭୁବନେଶ୍ୱର ଆସିଥିଲେ। ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ଦାଦା ପୁତୁରା ଜିଜିପି ସ୍କୁଲ୍ ପଡିଆରେ ବସିଥିଲେ। ସେହି ସମୟରେ ରାହୁଲ, ଶିବ ଶତପଥୀ ଓରଫ ଶିବା ଓ ଅନ୍ୟ ଦୁଇ ସାଙ୍ଗ ସେଠାରେ ଥିଲେ। ଏହି ସମୟରେ ଶିବାଙ୍କ ମୋବାଇଲକୁ ଏକ ଫୋନ୍ ଆସିଥିଲା। କଥାହେଉଥିବାବେଳେ ସେ ବଡ଼ ପାଟିରେ ଗାଳିମନ୍ଦ କରୁଥିଲେ। ଶତୁରା ଏହାକୁ ବିରୋଧ କରି କାହିଁକି ଏଭଳି ଗାଳି କରୁଛନ୍ତି ବୋଲି ପଚାରିଥିଲେ। ଏହାକୁ ନେଇ ଦୁହେଁଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇ ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା। ଶିବା ଶତୁରାଙ୍କୁ ଧକ୍କା ଦେବା ପରେ କୁନା ଓ ମୁନା ଧାଇଁ ଆସି ଶିବାଙ୍କୁ ମାଡ଼ ମାରିଥିଲେ।ସାଙ୍ଗକୁ ଆକ୍ରମଣ ହେଉଥିବା ଦେଖି ରାହୁଲ ଓ ଅନ୍ୟମାନେ ମଧ୍ୟ ଦେଉଡ଼ି ଆସିଥିଲେ।

ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍ ଚାଲିଥିବା ବେଳେ ମୁନା ନିଜ ପାଖରେ ରଖିଥିବା ଛୁରି ବାହାର କରି ଅତର୍କିତ ଭାବେ ରାହୁଲଙ୍କ ଛାତି, କାନ୍ଧ ଓ ବେକରେ ଆଘାତ କରିଥିଲା। ରାହୁଲ ରକ୍ତାକ୍ତ ହୋଇ ତଳେ ପଡ଼ିଯାଇଥିଲେ। ଶିବା ମଧ୍ୟ ଗୁରୁତର ଆହତ ହୋଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକ ଧାଇଁ ଆସିବାରୁ ଦାଦା ପୁତୁରା ଦୁଇଟି ବାଇକ୍ ନେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ରାହୁଲ ଓ ଆହତ ଶିବାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ରାହୁଲଙ୍କୁ ମୃତ ଘୋଷଣା କରିଥିଲେ। ଛାତିରେ ଛୁରାମାଡ଼ ହୋଇ ହୃଦୟରେ ଗୁରୁତର ଆଘାତ ଲାଗିବା ସହ ଅଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତରମାନେ କହିଛନ୍ତି। ଗୁରୁତର ଶିବାଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *