Sat. Feb 21st, 2026

ନ୍ୟୁଜ ଡେକ୍ସ : ବଲିଉଡ୍‌ରେ ଏବେ ରଣଭୀର ସିଂଙ୍କ ଫିଲ୍ମ ‘ଧୁରନ୍ଧର’ ନାମରେ ଜୋରଦାର ଚର୍ଚ୍ଚା। ଦିନକୁ ଦିନ ଫିଲ୍ମକୁ ନେଇ ଦର୍ଶକଙ୍କ କ୍ରେଜ ବଢ଼ିବାରେ ଲାଗିଛି। ସିନେମା ହଲ୍‌ଗୁଡ଼ିକରେ ଦର୍ଶକଙ୍କ ଭିଡ଼ ସହିତ ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମର ଅନେକ ସିନ୍ ଭାଇରାଲ ହେଉଛି। ଦର୍ଶକମାନେ ଏହାକୁ ବ୍ଲକବ୍ଲଷ୍ଟର ଭାବେ ସ୍ୱୀକୃତି ଦେଉଥିବା ବେଳେ ବକ୍ସ ଅଫିସରେ ମଧ୍ୟ ‘ଧୁରନ୍ଧର’ ନୂଆ ରେକର୍ଡ ସୃଷ୍ଟି କରୁଛି।

ରିଲିଜର ଅଷ୍ଟମ ଦିନ, ଅର୍ଥାତ୍ ଦ୍ୱିତୀୟ ଶୁକ୍ରବାରରେ ଫିଲ୍ମଟି ବକ୍ସ ଅଫିସରେ ବଡ଼ ଧମାକା କରିଥିଲା। ଭାରତରେ ଫିଲ୍ମଟି ୨୫୦ କୋଟି ଟଙ୍କା ଆୟ ପାର୍ କରିଥିବା ଖବର ମିଳିଛି। ‘ଧୁରନ୍ଧର’ ୨୮.୬୦ କୋଟି ଟଙ୍କା ସହ ଓପନିଂ କରିଥିବା ବେଳେ ଦ୍ୱିତୀୟ ଦିନରେ ୩୩.୧୦ କୋଟି ଓ ତୃତୀୟ ଦିନ, ପ୍ରଥମ ରବିବାରରେ ୪୪.୮୦ କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ସପ୍ତାହାନ୍ତରେ ଫିଲ୍ମଟି ଘରୋଇ ବକ୍ସ ଅଫିସରେ ୧୦୬.୫୦ କୋଟି ଓ ବିଶ୍ୱବ୍ୟାପୀ ୧୬୦.୧୫ କୋଟି ଟଙ୍କା ରୋଜଗାର କରିଥିଲା। ଚତୁର୍ଥ ଦିନରେ ୨୪.୩୦ କୋଟି, ପଞ୍ଚମ ଦିନରେ ୨୮.୬୦ କୋଟି ଟଙ୍କା ଆୟ କରି ପାଞ୍ଚ ଦିନରେ ମୋଟ ୧୫୯.୪୦ କୋଟି ଟଙ୍କା ଆୟ ସହ ୧୫୦ କୋଟିର ମାଇଲ୍‌ସ୍ଟୋନ୍ ପାର୍ କରିଥିଲା।

ଷଷ୍ଠ ଦିନରେ ୨୯.୨୦ କୋଟି ଓ ସପ୍ତମ ଦିନରେ ୨୯.୪୦ କୋଟି ଟଙ୍କା ଆୟ କରିଥିଲା।ସରକାରୀ ଆଙ୍କଡା ଅନୁଯାୟୀ, ଗୋଟିଏ ସପ୍ତାହରେ ଭାରତରେ ଫିଲ୍ମର ମୋଟ କଲେକ୍ସନ ୨୧୮.୨୫ କୋଟି ଟଙ୍କାରେ ପହଞ୍ଚିଥିଲା। ଅଷ୍ଟମ ଦିନରେ ୩୪.୭୦ କୋଟି ଟଙ୍କା ଆୟ କରି ‘ଧୁରନ୍ଧର’ ବକ୍ସ ଅଫିସରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ଫିଲ୍ମର ତୃତୀୟ ସର୍ବାଧିକ ଦୈନିକ ଆୟ ଭାବେ ରେକର୍ଡ ହୋଇଛି। ଏହା ସହ ଫିଲ୍ମର ଘରୋଇ କଲେକ୍ସନ ୨୫୨.୭୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ଆୟ ସହ ‘ଧୁରନ୍ଧର’ ହ୍ରିତିକ୍ ରୋଶନ ଓ ଜୁନିଅର ଏନ୍‌ଟିଆର ଅଭିନୀତ ସ୍ପାଇ ଆକ୍ସନ ଫିଲ୍ମ ‘ୱାର ୨’ (୨୩୬ କୋଟି ଘରୋଇ ଆୟ)ର ରେକର୍ଡକୁ ଭାଙ୍ଗିଦେଇଛି। ସେଥିସହ ଏହା ବର୍ଷର ଶ୍ରେଷ୍ଠ ୫ ଆୟକାରୀ ଫିଲ୍ମ ତାଲିକାରେ ମଧ୍ୟ ନିଜ ସ୍ଥାନ ସୁନିଶ୍ଚିତ କରିଛି।

‘ଧୁରନ୍ଧର’ ଏକ ମୌଳିକ କାହାଣୀ ଉପରେ ଆଧାରିତ ଫିଲ୍ମ, ଯାହା ଭାରତୀୟ ସୁପର ସ୍ପାଇ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟଜୀବନରୁ ଅନୁପ୍ରାଣିତ। ଶତ୍ରୁ ଅଞ୍ଚଳରେ ଗୁପ୍ତ ଅଭିଯାନ ଓ ଦେଶକୁ ଏକ ବଡ଼ ସଙ୍କଟରୁ ବଞ୍ଚାଇବା ଏହି ଫିଲ୍ମର ମୁଖ୍ୟ କାହାଣୀ। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ରଣଭୀର ସିଂଙ୍କ ସହ ଆର୍‌ ମାଧବନ, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ଅକ୍ଷୟ ଖନ୍ନା, ସାରା ଅର୍ଜୁନ ଓ ରଜତ ବେଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।ସମଗ୍ର ଭାବେ କହିଲେ, ‘ଧୁରନ୍ଧର’ ଏବେ ବକ୍ସ ଅଫିସରେ ନିର୍ବିବାଦ ରାଜ କରୁଥିବା ସହ ବଲିଉଡ୍‌ର ଚଳିତ ବର୍ଷର ସବୁଠାରୁ ବଡ଼ ସଫଳତା ଭାବେ ଉଭୟ ଦର୍ଶକ ଓ ବ୍ୟବସାୟିକ ମହଲର ଆକର୍ଷଣ କେନ୍ଦ୍ର ହୋଇଛି।

Leave a Reply

Your email address will not be published. Required fields are marked *