Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭାରତ ମହାସାଗର ଅଞ୍ଚଳରେ ଚୀନର ବଢ଼ୁଥିବା ସାମୁଦ୍ରିକ ପ୍ରଭାବ ଏବଂ ବାଂଲାଦେଶରେ ପରିବର୍ତ୍ତନଶୀଳ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ତାହାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ଏହି ପରିପ୍ରେକ୍ଷିତରେ ପଶ୍ଚିମବଙ୍ଗର ହଳଦିଆରେ ଏକ ନୂତନ ନୌସେନା ବେସ୍ ସ୍ଥାପନ କରାଯାଉଛି, ଯାହା ବଙ୍ଗୋପସାଗରର ଉତ୍ତର ଅଞ୍ଚଳରେ ଭାରତର ସାମୁଦ୍ରିକ ସତର୍କତାକୁ ବଢ଼ାଇବ।

ସୂତ୍ର ଅନୁସାରେ, ଏହି ବେସ୍ ଏକ ଛୋଟ କିନ୍ତୁ ଦକ୍ଷ ନୌସେନା ୟୁନିଟ୍ ଭାବରେ କାର୍ଯ୍ୟ କରିବ। ହଳଦିଆ ଡକ୍ କମ୍ପ୍ଲେକ୍ସରେ ଥିବା ବିଦ୍ୟମାନ ଢାଞ୍ଚାକୁ ବ୍ୟବହାର କରାଯିବାରୁ ବେସ୍‌ଟି ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଠାରେ ଦ୍ରୁତ ଇଣ୍ଟରସେପ୍ଟର କ୍ରାଫ୍ଟ ସହିତ ୩୦୦-ଟନ୍ ଓଜନର ଓ୍ବାଟର-ଜେଟ୍ ଫାଷ୍ଟ ଆଟାକ୍ କ୍ରାଫ୍ଟ ନିୟୋଜନ କରାଯିବ।ଏହି ଦ୍ରୁତଗାମୀ ଜାହାଜଗୁଡ଼ିକ ୪୦ରୁ ୪୫ ନଟ୍ ବେଗରେ ଚାଲିବାରେ ସକ୍ଷମ ଏବଂ ତତ୍କ୍ଷଣାତ୍ ପ୍ରତିକ୍ରିୟା ପାଇଁ ଡିଜାଇନ୍ କରାଯାଇଛି। CRN-91 ବନ୍ଧୁକ ଓ ଅନ୍ୟାନ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି କ୍ରାଫ୍ଟଗୁଡ଼ିକ ଜଳବାହିତ ଅନୁପ୍ରବେଶକୁ ରୋକିବାରେ ମୁଖ୍ୟ ଭୂମିକା ନିବାହ କରିବ। ଭାରତ–ବାଂଲାଦେଶ ଉପକୂଳର ଅଗଭୀର ଜଳରାଶି ଏବଂ ଅଧିକ ସାମୁଦ୍ରିକ ଯାତାୟାତ ଥିବାରୁ ଦ୍ରୁତ ପ୍ରତିକ୍ରିୟାଶୀଳ ଜାହାଜର ମୁତୟନକୁ ନୌସେନା ଅତ୍ୟନ୍ତ ଆବଶ୍ୟକ ବୋଲି ମନେ କରୁଛି।

ଏହା ସହିତ ବାଂଲାଦେଶ ସହିତ ଚୀନର ବଢ଼ୁଥିବା ସମ୍ପର୍କ ଓ ପାକିସ୍ତାନ ସହିତ ତାହାର ସାମରିକ ସହଯୋଗ ମଧ୍ୟ ଏହି ନୂଆ ବେସ୍‌ର ରଣନୈତିକ ଗୁରୁତ୍ୱକୁ ଅଧିକ ବଢ଼ାଇଛି।ହଳଦିଆ ନୌସେନା ବେସ୍‌ରେ ପ୍ରାୟ ୧୦୦ ଜଣ ଅଧିକାରୀ ଓ ନୌସେନା କର୍ମଚାରୀ ନିୟୋଜିତ ହେବେ। ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ଏହି ପ୍ରକଳ୍ପ ଆରମ୍ଭ ହେବା ସହ ବଙ୍ଗୋପସାଗରରେ ଭାରତର ସାମୁଦ୍ରିକ ସୁରକ୍ଷା ବଳୟ ଆହୁରି ଶକ୍ତିଶାଳୀ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *