ନ୍ୟୁଜ ଡେକ୍ସ : ଆଗାମୀ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ଅଧିବେଶନ ପ୍ରସ୍ତୁତି ପାଇଁ ଓଡ଼ିଶା ବିଧାନସଭାର ଏକ ସର୍ବଦଳୀୟ ବୈଠକ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବ। ବୈଠକଟି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହେବ ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହିତ ସରକାର ଓ ବିରୋଧୀ ଦଳର ଶୀର୍ଷ ନେତାମାନେ ଯୋଗଦେବେ।ଏହି ବୈଠକରେ ବଜେଟ୍ ଅଧିବେଶନକୁ ସୁଗମ ଏବଂ ଶୃଙ୍ଖଳିତ ଭାବରେ ଚାଲାଇବା, ସହଯୋଗ ଓ ପ୍ରକ୍ରିୟାଗତ ସମସ୍ୟା ସମାଧାନ ଉପରେ ଆଲୋଚନା ହେବ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସହିତ ବିଭିନ୍ନ ଦଳର ମୁଖ୍ୟ ସଚେତକ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହିବେ।ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ଏବଂ ଫେବ୍ରୁଆରୀ ୨୦ରେ ରାଜ୍ୟ ବଜେଟ୍ ପ୍ରସ୍ତୁତ ହେବ।
ମୋଟ ୨୯ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୭ରୁ ୨୪ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ।

