ନ୍ୟୁଜ ଡେକ୍ସ : ଆଜି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଚାଷୀ ସମସ୍ୟାକୁ ନେଇ ଗୃହ ହୁଲସ୍ତୁଲ ହେବାର ସମ୍ଭାବନା ରହିଛି। ରାଜ୍ୟରେ ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।ଆଜିର ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସମବାୟ, ଶକ୍ତି, ବ୍ୟୟନ ଶିଳ୍ପ, ଏମଏସଏମଇ ଓ ବିଜ୍ଞାନ କାରିଗରୀ ବିଭାଗ ସଂପର୍କିତ ପ୍ରଶ୍ନ ରହିଛି।
ସେହିଭଳି ଶୁନ୍ୟକାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ବିରୋଧୀ ଓ ଶାସକ ଦଳ ଉଠାଇବାକୁ ଯୋଜନା କରିଛନ୍ତି। କଂଗ୍ରେସ ପକ୍ଷରୁ ଧାନ ମଣ୍ଡି ସମସ୍ୟାକୁ ନେଇ ମୁଲତବୀ ପ୍ରସ୍ତାବ ମଧ୍ୟ ଦିଆଯିବ।ଗତକାଲି ମଙ୍ଗଳବାରରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ପପତି ଅଭିଭାଷଣ ରଖିଥିଲେ। ସେ ରାଜ୍ୟ ସରକାରଙ୍କ ସଫଳତା ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଶା ଆଗାମୀ ଦିନରେ ଭାରତର ବିକାଶର ଗ୍ରୋଥ ଇଞ୍ଜିନ ଭାବେ ଉଭୟ ହେବ।
ରାଜ୍ୟପାଳ କହିଥିଲେ ଯେ ନୂଆ ସରକାର ଆସିବା ପରେ ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି, ଯେଉଁଥିରେ ୨୦୨୪–୨୫ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଥିଲା ୧୬ ଲକ୍ଷ ୧୯ ହଜାର। SHG ସଦସ୍ୟମାନେ ବାର୍ଷିକ ଅନ୍ୟୁନ ଏକ ଲକ୍ଷ ଟଙ୍କା ରୋଜଗାର କରିବାରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ସେ କହିଥିଲେ।

