ନ୍ୟୁଜ ଡେକ୍ସ : ବଡଦିନ ଓ ନୂଆବର୍ଷ ଅବସରରେ ଶ୍ରୀମନ୍ଦିରକୁ ଆସୁଥିବା ବ୍ୟାପକ ଶ୍ରଦ୍ଧାଳୁ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ନିଆଯାଇଛି। ଏହି ଦୁଇ ଦିନ ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ହୋଇଛି।ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ୍ରେ ଅନୁଷ୍ଠିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ଶ୍ରଦ୍ଧାଳୁମାନଙ୍କୁ ସୁବିଧାଜନକ ଓ ସୁରକ୍ଷିତ ଭାବରେ ଶ୍ରୀଜିଉଙ୍କ ଦର୍ଶନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ମଧ୍ୟ ଯୋଗଦେଇଥିଲେ। ସେ କହିଥିଲେ ଯେ ଛୁଟି ଦିନ ପଡୁଥିବାରୁ ବଡଦିନ ଓ ନୂଆବର୍ଷରେ ପୁରୀରେ ବ୍ୟାପକ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଆଇନ-ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଧାଡିରେ ଥିବା ଶ୍ରଦ୍ଧାଳୁଙ୍କ ନିୟନ୍ତ୍ରଣ ଏବଂ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସୂଚନା ଓ ସଚେତନତା ପାଇଁ ସହରର ବିଭିନ୍ନ ସ୍ଥାନରେ ସାଇନଏଜ ଲଗାଯିବ।
ବ୍ୟାରିକେଡ ବ୍ୟବସ୍ଥା ହୋଇଥିବାରୁ ଧାଡିରେ ଅପେକ୍ଷାରତ ଭକ୍ତମାନଙ୍କ ପାଇଁ ମନ୍ଦିର ଭିତରେ ଓ ବାହାରେ ପାନୀୟ ଜଳ ବ୍ୟବସ୍ଥା କରାଯିବ।ଅଗ୍ନିଶମ ବିଭାଗକୁ କୌଣସି ଆପାତକାଳୀନ ଦୁର୍ଘଟଣା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ସମୁଦ୍ର କୂଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଓ ଲାଇଫଗାର୍ଡ ମୁତୟନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।ଏହାସହ ନୀତିକାନ୍ତି ସଠିକ ସମୟରେ ପରିଚାଳନା ହେବା ପାଇଁ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଥିଲେ, ଯାହା ଫଳରେ ଶ୍ରଦ୍ଧାଳୁମାନେ ଶୀଘ୍ର ଓ ସୁବିଧାଜନକ ଭାବେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

