Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶନିବାରଠାରୁ ବଡ଼ଦେଉଳରେ ଶୁଭାରମ୍ଭ ହେବ ଦେବ ଦୀପାବଳି ମହୋତ୍ସବ । ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ । ତିନି ଦିନ ଧରି ଅନୁଷ୍ଠିତ ହେବ ଠାକୁରଙ୍କ ଦିପାବଳୀ ଉତ୍ସବ । ସତ୍ୟ, ଦ୍ୱାପର ଓ ତ୍ରେତୟା ଯୁଗର ପିତୃପୁରୁଷଙ୍କୁ ଠାକୁରେ ଶ୍ରାଦ୍ଧ ଦେବେ । ଏହି ଅବସରରେ ଦୀପ ମାଳାରେ ସୁଶୋଭିତ ହେବ ଶ୍ରୀମନ୍ଦିର । ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହା “ଦେବ ଦିପାବଳୀ” ଓ “ଶ୍ରାଦ୍ଧବେଶ” ନାମରେ ପ୍ରସିଦ୍ଧ ।

ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦିପାବଳୀ ଉତ୍ସବ ପାଳନ କରାଯାଏ । ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି ।ପ୍ରଥମ ଦିବସ– ମହାପ୍ରଭୁ ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ଏହାଙ୍କ ସ୍ଵାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି ।

ମାର୍ଗଶୀର କୃଷ୍ଣ ପକ୍ଷ ଚତୁର୍ଦଶୀ ରେ ସନ୍ଧ୍ୟା ଧୂପ ବଢ଼ିବା ପରେ ସୁଧୁସୁଆର ସିଂହାସନ ତଳେ ପାଣି ପକାଇ ସଫା କରିଥାନ୍ତି । ତତ୍ପରେ ପୋଛା ମାରିଥାନ୍ତି ।ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଏକ ସ୍ୱତନ୍ତ୍ର ବେଶ ହୋଇଥାଏ । ଏହା ଶ୍ରାଦ୍ଧ ବେଶ ନାମରେ ପରିଚିତ । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି । ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିହିତ ହୋଇଥାନ୍ତି । କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ ।

Leave a Reply

Your email address will not be published. Required fields are marked *