Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵର ମନ୍ଦିରରେ ଧର୍ମମାସ କାର୍ତ୍ତିକ ମାସରେ ପାଳିତ ହେଉଛି ବଡ଼ଓଷା ପର୍ବ। ଏଠାରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର।  ରାତି ୩ଟା ରୁ ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ଘିଅରେ ଅଭିଷେକ କରାଯାଇଛି।

ଏହାପରେ ବାଳଭୋଗ, ଖେଚୁଡ଼ି ଭୋଗ ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଥାନ୍ତି ।

ଏହି ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ କୁହାଯାଏ ଗଜା ପିଠା । ଅରୁଆ ଚାଉଳ ଚୂନାରେ ଏହି ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ଭକ୍ତମାନେ ଏହାକୁ ସେବନ କରିଥାନ୍ତି । ବଡଓଷାର ମୁଖ୍ୟପୀଠ ହେଉଛି ଶ୍ରୀ ଶ୍ରୀ ଧବେଳଶ୍ୱର । କୁହାଯାଏ, ବ୍ରହ୍ମାଙ୍କ ଦ୍ୱାରା ଶାପଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ଶାପମୁକ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *