ନ୍ୟୁଜ ଡେକ୍ସ : ବାରମ୍ବାର ରାଜଧାନୀ ଭୁବନେଶ୍ୱରରେ ଘଟୁଥିବା ଆମ୍–ବସ୍ ଦୁର୍ଘଟଣା ସରକାରଙ୍କୁ ଚିନ୍ତାରେ ପକାଇଛି। ଲୋକଙ୍କ ସେବା ପାଇଁ ଆରମ୍ଭ ହୋଇଥିବା ଆମ୍–ବସ୍ ସେବା ଏବେ କେତେକ ମାମଲାରେ ଜୀବନ ନେଉଥିବା ଅଭିଯୋଗ ଆସୁଛି। ଅନିୟନ୍ତ୍ରିତ ଓ ଅସାବଧାନ ଡ୍ରାଇଭିଂ ଯୋଗୁ ଏପର୍ଯ୍ୟନ୍ତ ଅନେକ ନିରୀହଙ୍କ ଜୀବନ ଯାଇଥିବା ନେଇ ଚର୍ଚ୍ଚା ହେଉଛି।ଗତକାଲି ରୂପାଲୀ ଛକରେ ଘଟିଥିବା ଆମ୍–ବସ୍ ଦୁର୍ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଘଟଣା ପ୍ରତି ଗଭୀର ଉଦବେଗ ପ୍ରକାଶ କରି ସେ ଆଗାମୀ ଦିନରେ ଏପରି ଦୁର୍ଘଟଣା ନ ଘଟିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି।ମୁଖ୍ୟମନ୍ତ୍ରୀ ଆମ୍–ବସ୍ ଚାଳକମାନଙ୍କ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ନିୟମିତ ତାଲିମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ସେହିପରି ଆମ୍–ବସ୍ ଗୁଡ଼ିକର ଫିଟନେସ ଯାଞ୍ଚକୁ କଡାକଡି କରିବା ଏବଂ ନିୟମିତ ସମୀକ୍ଷା କରିବାକୁ ମଧ୍ୟ ଆଦେଶ ଦିଆଯାଇଛି।
ଏହା ସହ ଚାଳକମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ମନୋଭାବ ଗଢ଼ି ଉଠୁ ଯାହାଦ୍ୱାରା ଯାତ୍ରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ହେବ, ସେଥିପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ରାଜଧାନୀରେ ଆମ୍–ବସ୍ ଦୁର୍ଘଟଣା ରୋକିବାରେ କେତେ ଫଳପ୍ରଦ ହେବ, ସେନେଇ ସାଧାରଣ ଲୋକ ଆଶାବାଦୀ ଅଛନ୍ତି।

