ନ୍ୟୁଜ ଡେକ୍ସ : ଦେଶ ସହ ସାରା ରାଜ୍ୟରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ି ଚାଲିଥିବାରୁ ସରକାର ଏବେ ସଜାଗ ହୋଇଛନ୍ତି। ବିଶେଷ କରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ହେବାରୁ ଟ୍ୱିନ୍ସିଟିରେ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଏବଂ ପରିବେଶକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସରକାର ଏକାଧିକ କଡା ପଦକ୍ଷେପ ଘୋଷଣା କରିଛନ୍ତି।
ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଟ୍ୱିନ୍ସିଟିରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗୁ କରାଯାଇଛି। ବିଶେଷ କରି ରାତି ସମୟରେ ନିର୍ମାଣ କାମ ଯୋଗୁଁ ବାୟୁରେ ଧୂଳିକଣାର ମାତ୍ରା ବଢୁଥିବା ନଜରକୁ ଆସିଥିବାରୁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ। ସେହିପରି ସହରର ସଫେଇ କାର୍ଯ୍ୟ ସମୟରେ ଧୂଳି ଉଡିବାକୁ ରୋକିବା ପାଇଁ ପାଣି ସିଞ୍ଚନ କରି ସଫେଇ କରିବାକୁ ଭୁବନେଶ୍ୱର ଓ କଟକ ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। ସହର ମଧ୍ୟରେ କୌଣସି ପ୍ରକାର ଅଳିଆ ବା ବର୍ଜ୍ୟ ଜାଳିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲାଗୁ କରାଯାଇଛି। ନିୟମ ଉଲଂଘନ କରି କେହି ବର୍ଜ୍ୟ ଜାଳିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।
ଢାବା, ହୋଟେଲ, ପିକନିକ ସ୍ପଟ୍ ଓ ଅନ୍ୟାନ୍ୟ ବ୍ୟବସାୟିକ ସ୍ଥାନରେ କୋଇଲା ଜାଳି ରାନ୍ଧିବା କିମ୍ବା ତାପ ଉତ୍ପାଦନ କରିବାକୁ ମଧ୍ୟ ବନ୍ଦ କରାଯାଇଛି। ବଡ଼ ବଡ଼ ପ୍ରକଳ୍ପ କାମ ଚାଲିଥିବା ସ୍ଥାନଗୁଡ଼ିକରେ କଟକଣାକୁ ଅଧିକ କଡା କରାଯିବା ସହ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଭାରୀ ଯାନଗୁଡ଼ିକୁ ଯାଞ୍ଚ କରାଯିବ। ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି ଯେ, ପାଗରେ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ରାଜ୍ୟରେ ବାୟୁ ପ୍ରଦୂଷଣର ମାତ୍ରା ବଢିଛି। ବିଶେଷ କରି ବାଲେଶ୍ୱର, ଅନୁଗୁଳ ଓ ବାରିପଦାରେ ପ୍ରଦୂଷଣ ସ୍ତର ଟିକେ ଉଚ୍ଚ ରହିଛି। ଏହା ସହ କଟକ ଓ ଭୁବନେଶ୍ୱର ସହରରେ ମଧ୍ୟ ସ୍ଥିତି ଧୀରେଧୀରେ ଖରାପ ହେଉଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସଂପୃକ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସତର୍କ ରହି କଟକଣାକୁ କଡାକଡି ଲାଗୁ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାନିଂ ବିଭାଗର ଅଧିକାରୀମାନେ ନିୟମ ଉଲଂଘନ ଉପରେ କଡା ନଜର ରଖିବେ ଏବଂ ଆବଶ୍ୟକ ହେଲେ ଜରିମାନା ଆଦାୟ କରିବେ।ସରକାରଙ୍କ ଆଶା ରହିଛି ଯେ, ଏହି ସମସ୍ତ କଟକଣା ଓ ସତର୍କତାମୂଳକ ପଦକ୍ଷେପ ଫଳରେ ଆଗାମୀ କିଛି ଦିନ ମଧ୍ୟରେ ଟ୍ୱିନ୍ସିଟିରେ ବାୟୁ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବ।

