ନ୍ୟୁଜ ଡେକ୍ସ: କାର୍ତ୍ତିକ ଭିଡ ଯୋଗୁଁ ବଦଳିଲା ଶ୍ରୀମନ୍ଦିର ଧ୍ୱଜାବନ୍ଧା ନୀତି ସମୟ। ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ଧ୍ବଜା ବନ୍ଧା ନୀତି ସମ୍ପନ୍ନ ହେବ। ମୁଖ୍ୟ ପ୍ରଶାସକ ଏହି ନିର୍ଦେଶ ଦେବା ପରେ ଚୁନରା ସେବକ ମାନଙ୍କୁ ଏ ନେଇ ଅବଗତ କରାଯାଇଛି। ସୂଚନା ଅନୁଯାୟୀ,ଆଜିଠାରୁ ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ପତିତପାବନ ବାନା ବନ୍ଧା ହେବ। ଚୁନରା ସେବକମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।
ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଧ୍ଵଜା ବନ୍ଧା ଦେଖିବା ପାଇଁ ମନ୍ଦିର ଭିତରେ ଓ ସିଂହଦ୍ଵାର ବାହାର ରାସ୍ତାରେ ବହୁତ ଭକ୍ତ ଗହଳି କରୁଛନ୍ତି। ତେଣୁ ସପ୍ତାହେ ପର୍ଯ୍ୟନ୍ତ ଅପରାହ୍ନରେ ଧ୍ଵଜା ବନ୍ଧା ସମାପନ କରିବାକୁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଚୁନରା ସେବକଙ୍କ ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଧ୍ୱଜା ବନ୍ଧା ସମୟରେ ଅତ୍ୟଧିକ ଗହଳି ମଧ୍ୟ ହେଉଛି। ଗହଳି ଅଧିକ ହେବା ଯୋଗୁ ଦଳା ଚକଟା ପରି ପରିସ୍ଥିତ ଉପୁଜିଥାଏ। ଯଦି ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରୁ ବାନା ଗୁଡ଼ିକ ଆମ ପାଖରେ ୩ଟା ସମୟରେ ଆସି ପହଞ୍ଚିବ, ତାହାହେଲେ ସାଢ଼େ ୩ ଟା ସମୟରେ ଆମେ ବଡ଼ ଦେଉଳ ଉପରେ ଚଢ଼ିବୁ। ୪ଟା ସୁଦ୍ଧା ଧ୍ୱଜା ବନ୍ଧା କାର୍ଯ୍ୟ ସମାପନ ହେବ।