Sat. Feb 21st, 2026

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହା ମହାପ୍ରଭୁଙ୍କ ଗୁପ୍ତ ନୀତି ହେବାରୁ, ଏହି ସମୟରେ ସାଧାରଣ ଭକ୍ତମାନଙ୍କ ପାଇଁ ଦର୍ଶନ କିଛି ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।ମନ୍ଦିର ନୀତିକାନୁନ ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ।

ଏହି ନୀତି ସମୟରେ ଶ୍ରୀଜିଉଙ୍କୁ ରତ୍ନସିଂହାସନରୁ ଅଦୃଶ୍ୟ ରଖାଯାଇ ଶ୍ରୀମୁଖର ଶୃଙ୍ଗାର କରାଯିବ।ଏହି କାରଣରୁ ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ।ବନକଲାଗି ନୀତି ସମୟରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ପରି ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯାଏ। ଦତ୍ତ ମହାପାତ୍ର ସେବାୟତମାନେ ଏହି ଗୁପ୍ତ ନୀତି ସମ୍ପନ୍ନ କରନ୍ତି। ଏହି ଶୃଙ୍ଗାର ପରେ ଶ୍ରୀଜିଉଙ୍କ ମୁଖମଣ୍ଡଳ ଅଧିକ ଦିବ୍ୟ, ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଏ। ନୀତି ସମ୍ପୂର୍ଣ୍ଣ ହେବା ପରେ ଶ୍ରୀଜିଉଙ୍କ ମହାସ୍ନାନ କରାଯିବ।

ଏହା ପରେ ପୁଣିଥରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି ଯେ, ବନକଲାଗି ନୀତି ସମୟରେ ସେମାନେ ମନ୍ଦିର ପରିସରରେ ରହିବେ ନାହିଁ ଓ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ସମୟ ଜାଣି ଦର୍ଶନ ପାଇଁ ଯୋଜନା କରନ୍ତୁ।

Leave a Reply

Your email address will not be published. Required fields are marked *