Mon. Dec 23rd, 2024

ନ୍ୟୁଜ ଡେସ୍କ: ଆସନ୍ତାକାଲି ହେବାକୁ ଥିବା ବିଜେଡିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦାବି କରିଥିଲେ। ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେଣୁ ଦଳ ନିଜ ହରତାଳ ଡାକରା ପ୍ରତ୍ୟାହାର କରି ନେଇଥିବା କହିଛି |

ସୂଚନା ମୁତାବକ, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ମାମଲାରେ ନ୍ୟାୟ ଦାବି କରି ରବିବାର ଆସନ୍ତା ୨୪ ତାରିଖରେ ବିଜେଡି ସକାଳ ୬ରୁ ଦିନ ୧ଟା ଯାଏଁ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବା ବୋଲି ଘୋଷଣା କରିଥିଲା । ହେଲେ ଗିକାଲି ବିଳମ୍ବିତ ରାତିରେ ସରକାର ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କରି ୬୦ ଦିନରେ ରିପୋର୍ଟ ଦେବାକୁ ବିଜ୍ଞପ୍ତି ଜାରି କରିଛି ଗୃହ ବିଭାଗ ।

ପୀଡିତା, ମେଜର, ପୋଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗ, ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲା ସବୁର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ବିଜେଡି ତାର ହରତାଳ ପ୍ରତ୍ୟାହାର କରିନେଇଛି । ଏନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି ଅନୁଯାୟୀ, ବିଜେପି ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୬୦ ଦିନରେ ତଦନ୍ତ ସାରିବାକୁ କୁହାଯାଇଛି। ତେଣୁ ଏ ସଂକ୍ରାନ୍ତରେ ବହୁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଦଳ ପକ୍ଷରୁ ଦିଆଯାଇଥିବା ଆସନ୍ତାକାଲିର ହରତାଳ ଡାକରାକୁ ପ୍ରତ୍ୟାହାର କରାଯାଉଛି।

Leave a Reply

Your email address will not be published. Required fields are marked *