ନ୍ୟୁଜ ଡେକ୍ସ: ୨ ମାସ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର କାର୍ଯ୍ୟ । ଆଗାମୀ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ଅନବସର ଏବଂ ରଥଯାତ୍ରା ସମ୍ପର୍କିତ ନୀତି ସମ୍ପାଦନ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ଆସନ୍ତା ଏପ୍ରିଲ ୨୯ ତାରିଖ ଠାରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ ମାସ ଧରି ସ୍ଥଗିତ ରହିବ ।
ରତ୍ନଭଣ୍ଡାର ମରାମତି ବୈଠକ ପରେ ମୁଖ୍ୟ ପ୍ରଶାସକ ଦେଲେ ସୂଚନା। ୪ ମାସରୁ ଊର୍ଦ୍ଧ୍ବ ସମୟରେ ୧୯୩ ଘଣ୍ଟା ୫ ମିନିଟ୍ର କାମ ହୋଇଛି। ଭିତର ରତ୍ନଭଣ୍ଡାର କାମ ପ୍ରାୟ ସରିଛି। ଚଟାଣ କାମ ବାକି ଅଛି।୨୯ ଏପ୍ରିଲ ଚନ୍ଦନ ଅଧିବାସ, ୩୦ ଏପ୍ରିଲ ଅକ୍ଷୟ ତୃତୀୟା ନୀତି ଯୋଗୁଁ ବନ୍ଦ ରହିବ କାର୍ଯ୍ୟ। ବାହାର ଚନ୍ଦନ, ଭିତର ଚନ୍ଦନ, ସ୍ନାନ ପୂର୍ଣ୍ଣିମା, ଅନବସର ନୀତି ଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ। ଜୁନ ୨୭ ରେ ମହାପ୍ରଭୁ ଘୋଷଯାତ୍ରାରେ ଗଲେ ୨୮ ତାରିଖରୁ ଆରମ୍ଭ ହେବ କାର୍ଯ୍ୟ । ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଆଗମୀ ଦିନରେ ନୀତି ବହୁଳତା ଦୃଷ୍ଟିରୁ ମରାମତି କାର୍ଯ୍ୟ ସ୍ଥଗିତ ରଖାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳକରଣ ରିପୋର୍ଟ ପ୍ରଦାନ କରିଥିଲେ।
ଏହାକୁ ନଜରରେ ରଖି ଶନିବାର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ASI ପକ୍ଷରୁ ରତ୍ନ ଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଅଗ୍ରଗତି ନେଇ ବିସ୍ତୃତ ସୂଚନା ଦିଆଯାଇଥିଲା।କହିରଖୁ କି, ଡିସେମ୍ବର ୧୭ ତାରିଖରୁ ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ସମୟରେ ବିଶେଷ ନୀତି ସକାଶେ କାର୍ଯ୍ୟ ବନ୍ଦ ରହିଥିଲେ ହେଁ ଏପ୍ରିଲ ୨୫ ସୁଦ୍ଧା ୧୯୩ ଘଣ୍ଟା ୫ ମିନିଟର କାର୍ଯ୍ୟ ହୋଇସାରିଛି । ସ୍ଥାୟୀ ମରାମତି ଓ ସଂରକ୍ଷଣକୁ ଦୃଷ୍ଟିରେ ରଖି ASI ଏହି ସମ୍ବେଦନଶୀଳ କାର୍ଯ୍ୟକୁ ଗୁରୁତ୍ୱର ସହ ସମ୍ପାଦନ କରୁଥିବାରୁ ମୁଖ୍ୟ ପ୍ରଶାସକ ASI କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
