ନ୍ୟୁଜ ଡେକ୍ସ: ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ୍ ରୁଫ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଗିରଫ ହେବା ପରେ ଦିନକୁ ଦିନ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି । ଏହି ଲାଞ୍ଚ ମାମଲାରେ ଜଣେ ବିବାଦୀୟ ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ୍ କରିଛି। ତେବେ ୧୧ ତାରିଖ ହାଜର ହେବାକୁ ନୋଟିସ୍ ହୋଇଥିଲା।
ଡିସେମ୍ବର ୧୦ ତାରିଖରେ ସିବିଆଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ନିକଟକୁ ପଠାଇଥିଲା ସମନ। ଦିଲ୍ଲୀରୁ ତାଙ୍କୁ ଏହି ସମନ ପଠାଯାଇଥିବା ବେଳେ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ସିବିଆଇ ଅଫିସରେ ହାଜର ହେବାକୁ କୁହାଯାଇଥିଲା। ଏହି ଚିଠିରେ ଲେଖାଯାଇଥିଲା ଯେ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍ଟିଡିର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ନାଁରେ ନୂଆଦିଲ୍ଲୀରେ ସିବିଆଇର ଏସି-ଟୁରେ ମାମଲା ରୁଜୁ ହୋଇଛି। ଏହା ଜଣାପଡ଼ିଛି ଯେ ଆପଣଙ୍କ ପାଖରେ ଏ ମାମଲା ସଂକର୍ପିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି, ଯାହାକୁ ଆପଣଙ୍କଠାରୁ ନିଶ୍ଚିତ କରିବା ଜରୁରୀ।
ତେଣୁ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ସିବିଆଇ ଅଫିସକୁ ଆସି ତଦନ୍ତରେ ଯୋଗ ଦେବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି। ସୂଚନା ମୁତାବକ, ନାଲ୍କୋ ପକ୍ଷରୁ କୋରାପୁଟ ଦାମନଯୋଡ଼ି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ୨ଟି ବଡ଼ କାମ ଚାଲିଛି । ଉକ୍ତ କାମ ବ୍ରିଜ ଆଣ୍ଡ ରୁଫ୍ ଗ୍ରୁପ ଦ୍ୱାରା କରାଯାଉଛି । ଟେଣ୍ଟର ପାଇ କାମ କରୁଥିଲା ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କନ୍ଷ୍ଟ୍ରକ୍ସନ ସଂସ୍ଥା । କିଛି ଦିନ କାମ କରିବା ପରେ ସଂସ୍ଥାର କିଛି ବେଆଇନ କାର୍ଯ୍ୟ ଜଣାପଡ଼ିଥିଲା । ତେବେ ଏନେଇ ବ୍ରିଜ ଆଣ୍ଡ ରୁଫ୍ ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ଖୋଳତାଡ ଆରମ୍ଭ କରିଥିଲା ।
ଏହା ଜାଣିବା ପରେ ସନ୍ତୋଷ ଓ ତାଙ୍କ ବାପା ମନମୋହନ ମୋଟା ଅଙ୍କର ଟଙ୍କା ଦେଇ ଚଞ୍ଚଲ ମୁଖାର୍ଜୀଙ୍କ ମୁହଁ ବନ୍ଦ କରିବାକୁ ଯୋଜନା କରିଥିଲେ । ମିଡିଲ୍ମ୍ୟାନ୍ ଦେବଦତ୍ତଙ୍କ ସହଯୋଗରେ ଚଞ୍ଚଲଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିଲେ । ୭ ତାରିଖ ଦିନ ମେ ଫେୟାର ହୋଟେଲ୍ରେ ଚଞ୍ଚଲ ଲାଞ୍ଚ ନେଉଥିବା ସମୟରେ ଗିରଫ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ଏହି ଲାଞ୍ଚ କାରବାରରେ ଅନ୍ୟ କେତେକ ବରିଷ୍ଠ ଅଧିକାରୀ ସଂପୃକ୍ତ ଥିବା ସିବିଆଇକୁ ସୁରାକ ମିଳିଛି ।