ନ୍ୟୁଜ ଡେକ୍ସ: ବୁଧବାର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଅଧିକ ବର୍ଷା ସମ୍ଭାବନା ଅଛି । କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ ।
୨୮ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ପବନ ବହିବା ନେଇ ୯ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ବୁଧବାର ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ଅଧିକ ବର୍ଷା ହେବ। ଓଡ଼ିଶାର କିଛି ସ୍ଥାନରେ ବି ଭାରି ବର୍ଷା ସମ୍ଭାବନା ଅଛି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ଗୁରୁବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ସମ୍ଭାବନା ଅଛି ।
