ନ୍ୟୁଜ ଡେକ୍ସ : ବଲାଙ୍ଗିରରେ ଘଟିଥିବା ନବବଧୂ ଅପହରଣ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ମଙ୍ଗଳବାର ଦିନ ଓଡ଼ିଶା ପୋଲିସ ସମ୍ବଲପୁରର ପ୍ରଫେସର ପଡ଼ା ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ନବବିବାହିତା କନ୍ୟା ଓ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ଧରିଥିବା ସୂଚନା ମିଳିଛି।ନବବଧୂ ରଶ୍ମି, ଯିଏ କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଛକର ବାସିନ୍ଦା, ତାଙ୍କ ସହ କଣ୍ଟାମାଳ ବଡ଼ଚାପଲି ଗାଁର ସଞ୍ଜୟ ସାହୁ ଓରଫ ବୁଠିଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ଥିବା କଥା ପୋଲିସ ତଦନ୍ତରେ ଆସିଛି।
ପୋଲିସ ସୂଚନା ଅନୁଯାୟୀ, ଉଭୟଙ୍କୁ ତରଭା ଥାନାରେ ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ ଘଟଣାଟି ବଳପୂର୍ବକ ଅପହରଣ ନୁହେଁ, ବରଂ ଏକ ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। କନ୍ୟା ନିଜେ ପୂର୍ବତନ ପ୍ରେମିକଙ୍କ ସହ ଯୋଗାଯୋଗ କରି ଏହି ଯୋଜନା କରିଥିବା ସନ୍ଦେହ ରହିଛି।ପରିବାର ପକ୍ଷରୁ ବଲାଙ୍ଗୀର ସହର କାମାକ୍ଷାନଗର ନିବାସୀ ହରିବନ୍ଧୁ ପୁଟେଲ (ରିଙ୍କୁ)ଙ୍କ ସହ ରଶ୍ମିଙ୍କ ବିବାହ ନିର୍ଦ୍ଧାରିତ ହୋଇଥିଲା। ୨୧ ଫେବୃଆରୀ ରାତିରେ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ ୨୨ ଫେବୃଆରୀ ପ୍ରଭାତରେ ଘଟଣାଟି ଘଟିଥିବା କୁହାଯାଉଛି। ବିବାହ ପରେ ନବଦମ୍ପତି ବର ଘରକୁ ବାହାରିଥିବା ବେଳେ ବଡ଼ବନ୍ଧା ଅଞ୍ଚଳ ନିକଟରେ ମଝି ରାସ୍ତାରେ ଗାଡ଼ିକୁ ଅଟକାଇଥିବା ଅଭିଯୋଗ ହୋଇଛି।
ପ୍ରେମିକ ତାଙ୍କ ସହଯୋଗୀମାନଙ୍କ ସହ ମିଶି ବନ୍ଧୁକ ଦେଖାଇ ବର ଓ ଅନ୍ୟମାନଙ୍କୁ ଧମକ ଦେଇ କନ୍ୟାକୁ ଗାଡ଼ିରେ ଟାଣି ନେଇ ପଳାଇଯାଇଥିବା ଅଭିଯୋଗ ରହିଛି।ଘଟଣା ପରେ ବର ପକ୍ଷରୁ ତୁରନ୍ତ ତରଭା ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଗାମୀ ତଦନ୍ତ ପରେ ଘଟଣାର ସଠିକ୍ ଚିତ୍ର ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

