Tue. Feb 24th, 2026

ନ୍ୟୁଜ ଡେକ୍ସ : ଆଜି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ପୌଷ ମାସର ଶେଷ ମଙ୍ଗଳବାର ଦିନ ପାଳିତ ହେଉଥିବା ଏହି ପାରମ୍ପରିକ ଯାତ୍ରାକୁ ନେଇ ଶୁଲିଆ ପୀଠ ଚାରିପାଖରେ ଅପାର ଭିଡ଼ ଜମା ହୋଇଥିଲା। ଜିଲ୍ଲା ସହ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶୁଲିଆ ଦେବତାଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ।ଯାତ୍ରା ଉପଲକ୍ଷେ ଗତକାଲି ଠାରୁ ଶୁଲିଆ ଦେହେରୀଙ୍କ ଘରେ ନିଶି ପୂଜା ଆୟୋଜିତ ହୋଇଥିଲା।

ଆଜି ସକାଳୁ କନ୍ଧ ଆଦିବାସୀମାନେ ପାରମ୍ପରିକ ବାଦ୍ୟ, ପାଟ ବୁକା ଏବଂ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରାରେ ଖଳା ପର୍ଯ୍ୟନ୍ତ ପହଞ୍ଚିଥିଲେ। ଖଳାରେ ବରୁଆଙ୍କ ଦେହରେ ଦେବତାଙ୍କ ଆଗମନ ପରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା ଓ ପରମ୍ପରାନୁସାରେ ବଳି ଦିଆଯାଇଥିଲା।ପରେ ଶ୍ରଦ୍ଧାଳୁମାନେ ଆଣିଥିବା ଶହ ଶହ କୁକୁଡ଼ା, ବୋଦା ଓ ପୋଢ଼ ଆଦିର ବଳି ଦିଆଯାଇଥିଲା।

ପଶୁପକ୍ଷୀଙ୍କ ରକ୍ତରେ ଶୁଲିଆ ପୀଠ ରକ୍ତରଞ୍ଜିତ ହୋଇଯାଇଥିଲା। ଏହି ଅବସରରେ ସ୍ଥାନୀୟ ନେତା ଓ ଜନପ୍ରତିନିଧିମାନେ ମଧ୍ୟ ପୀଠକୁ ଆସି ଦେବତାଙ୍କ ପୂଜାର୍ଚ୍ଚନା କରିଥିଲେ ଓ ଯାତ୍ରାରେ ସାମିଲ ହୋଇଥିଲେ। ଶୁଲିଆ ପୀଠର ବିଭିନ୍ନ ସ୍ଥାନରେ ବଣଭୋଜିର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା। ଯାତ୍ରାକୁ ସୁଚାରୁ ଭାବେ ପାଳନ କରିବା ସହ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *