ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବନାଞ୍ଚଳ ଅନ୍ତର୍ଗତ ଲତାସାହଡା ଗ୍ରାମ ନିକଟରେ ଏକ କୂଅରେ ପଡିଥିବା ହାତୀ ଛୁଆକୁ ନାଟକୀୟ ଭାବରେ ଉଦ୍ଧାର କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିବା ସହିତ ବନବିଭାଗ ଓ ପୋଲିସ ତୁରନ୍ତ କାର୍ଯ୍ୟରତ ହୋଇଥିଲେ।ସ୍ଥାନୀୟ ଲୋକଙ୍କ ଅନୁସାରେ, ଧାନ କ୍ଷେତରେ ଥିବା ଏକ ପୁରୁଣା ଓ ଖୋଲା କୂଅରେ ହାତୀ ଛୁଆଟି ଅଜଣାରେ ପଡିଯାଇଥିଲା।
ଘଟଣାସ୍ଥଳକୁ ମୁରିବାହାଲ ବନାଞ୍ଚଳ ରେଞ୍ଜ ଅଧିକାରୀ, ବନଶ୍ରମିକ, ମୁରିବାହାଲ ପୋଲିସ ଟିମ୍, ଅଗ୍ନିଶମ କର୍ମଚାରୀମାନେ ଏବଂ ବଲାଙ୍ଗୀର ଡିଏଫଓଙ୍କ ନେତୃତ୍ୱରେ ଏକ ବିଶେଷ ଦଳ ପହଞ୍ଚିଥିଲା।ଉଦ୍ଧାର କାର୍ଯ୍ୟରେ ଏକ ଜେସିବି ମେସିନ୍ ବ୍ୟବହାର କରାଯାଇଥିଲା। କୂଅ ଚାରିପାଖର ମାଟିକୁ ସତର୍କତାର ସହିତ ଖୋଳି ପଥ ପ୍ରଶସ୍ତ କରାଯାଇଥିଲା, ଯେଉଁଥିରେ ହାତୀ ଛୁଆଟି କୌଣସି ଚୋଟ ନ ପାଇ ସୁବିଧାରେ ବାହାରିଆସିଥିଲା।
ବନ ଅଧିକାରୀମାନେ କହିଛନ୍ତି ଯେ ହାତୀ ଛୁଆଟି ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛି। ଏହାସହିତ ଅଧିକାରୀମାନେ କହିଛନ୍ତି ଯେ ଛୁଆଟି ଖୁବ୍ ଶୀଘ୍ର ମୁରିବାହାଲ ରେଞ୍ଜରେ ଘୁରୁଥିବା ହାତୀ ପଲଙ୍କ ସହିତ ମିଶିଯିବ। ସ୍ଥାନୀୟ ଲୋକ ଓ ବନବିଭାଗ ମଧ୍ୟ ଏହି ସଫଳ ଉଦ୍ଧାର ଅଭିଯାନକୁ ସ୍ୱାଗତ କରିଛନ୍ତି।

