ନ୍ୟୁଜ ଡେକ୍ସ : ପୋଲିସ୍ ସବ୍–ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଣି ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଲୋକନାଥ ସାହୁ (ଭଗବାନ ସାହୁଙ୍କ ପୁଅ) ଏବଂ ସେହି ଗ୍ରାମର ତଳସାହିର ମୁନା ମହାନ୍ତି (ସାଧୁଆ ମହାନ୍ତିଙ୍କ ପୁଅ) ।
ଅନ୍ୟପଟେ, ଏହି ମାମଲା ସହ ସଂପୃକ୍ତ ଥିବାରୁ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ବିଶ୍ୱରଞ୍ଜନ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି। ସୂତ୍ରମାନଙ୍କ କହିବା ଅନୁସାରେ, ବିଶ୍ୱରଞ୍ଜନ ସିଣ୍ଡିକେଟ୍ ମୁଖ୍ୟଙ୍କ ନିର୍ଦ୍ଦେଶରେ ଆଶାୟୀ ପରୀକ୍ଷାର୍ଥୀଙ୍କ ସହ ସମ୍ପର୍କ କରି, ତାଙ୍କଠାରୁ ଅରିଜିନାଲ ସାର୍ଟିଫିକେଟ୍ ଏବଂ ବ୍ଲାଙ୍କ ଚେକ୍ ନେଉଥିଲା। ପ୍ରଶ୍ନପତ୍ର ଯୋଗାଇବା ପ୍ରତିଶ୍ରୁତି ଦେଇ ସେହି ଡକ୍ୟୁମେଣ୍ଟଗୁଡ଼ିକ ସିଣ୍ଡିକେଟ୍ ମୁଖ୍ୟଙ୍କୁ ପହଞ୍ଚାଇଥିଲା।ବିଶ୍ୱରଞ୍ଜନ ବେହେରାଙ୍କ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆଧାର କରି ଶନିବାର ଗିରଫ କରାଯାଇ ବ୍ରହ୍ମପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି ।
ତେବେ ଆଜି ୩ ଜଣଙ୍କୁ ଗିରଫ ପରେ ଏହି ମାମଲାରେ ୧୨୦ରେ ପହଞ୍ଚିଛି ଗିରଫଦାରୀ ସଂଖ୍ୟା ।ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବାକୁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ବ ମିଳିଛି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ । ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନିଲ ବେଉରିଆ ।
