ନ୍ୟୁଜ ଡେକ୍ସ:ବାଂଲାଦେଶରୁ ଜଣେ ନାବାଳିକାଙ୍କୁ ସୀମା ପାର୍ କରାଇ ଓଡ଼ିଶା ଆଣି ଦେହ ବ୍ୟବସାୟରେ ନିୟୋଜିତ କରିବା ଘଟଣାର ତଦନ୍ତ ଭାର୍ ଶେଷରେ ଏନ୍ଆଇଏ(ନାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି) ନେଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶରେ ଏନ୍ଆଇଏ ଏନେଇ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ପୂର୍ବରୁ ମାମଲାର ତଦନ୍ତ କରୁଥିବା କଟକ ମଧୁପାଟଣା ଥାନାରୁ ଆବଶ୍ୟକ କାଗଜପତ୍ର ଏନ୍ଆଇଏ ସଂଗ୍ରହ କରିବ । ଅନ୍ୟପଟେ ଏହି ମାମଲାରେ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତଙ୍କୁ ଜାମିନ୍ ମିଳିସାରିଛି।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶରେ ଏନ୍ଆଇଏ ଏନେଇ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗତବର୍ଷ ନଭେମ୍ବର ୯ ତାରିଖ ରାତିରେ ମଧୁପାଟଣା ଥାନା ପୋଲିସ ଜଣେ ନାବାଳିକାଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଥିଲା। ଶିଶୁ ମଙ୍ଗଳ କମିଟି ବା ସିଡବ୍ଲୁସିରେ ହାଜର କରାଇ ନାବାଳିକାଙ୍କୁ ବସୁନ୍ଧରା ସେଲ୍ଟର୍ ହୋମ୍ରେ ରଖାଯାଇଥିଲା। ସେଠାରେ ନାବାଳିକା ଜଣକ ନିଜ ପରିଚୟ ଓ ଗତ କିଛିଦିନ ହେବ ତାଙ୍କ ସହିତ ଘଟିଥିବା ଅଘଟଣ ନେଇ ସୂଚନା ଦେବା ପରେ ଉଭୟ ପୋଲିସ ଓ ପ୍ରଶାସନ ଚକିତ ହୋଇଯାଇଥିଲେ।
ବାଂଲାଦେଶରୁ ବେଆଇନ ଭାବେ ସୀମା ପାର୍ କରାଇ ନାବାଳିକାଙ୍କୁ କୋଲକାତା ଅଣାଯାଇଥିଲା। କୋଲକତାର ଦୁଇ ପେସାଦାର ଦଲାଲ୍ କିଛି ଦିନ ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ। ଏହାପରେ ତାଙ୍କୁ ସେକ୍ସ ରାକେଟ୍ରେ ନିୟୋଜିତ କରାଯାଇଥିଲା। ଭୁବନେଶ୍ୱରରେ ସେକ୍ସ ରାକେଟ୍ ଚଲାଉଥିବା ଏକାଧିକ ଦଲାଲ୍ ତାଙ୍କୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳକୁ ନେଇ ଦେହ ବ୍ୟବସାୟରେ ଲଗାଇଥିଲେ।
