ନ୍ୟୁଜ ଡେକ୍ସ : ବାଘେଶ୍ବର ବାବା ଓ ଧାମର ନାମ ବ୍ୟବହାର କରି ବଡ଼ ଧରଣର ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲା କୁମଣ୍ଡ ଗାଁର ବିନିତ୍ କୁମାର ସେଠୀଙ୍କ ଠାରୁ ସାଇବର ଠକମାନେ ପ୍ରାୟ ୧୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଅନୁଗୁଳ ସାଇବର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଅଜଣା ମୋବାଇଲ୍ ନମ୍ବରରୁ ବିନିତଙ୍କୁ ଫୋନ କଲ୍ ଆସିଥିଲା।
କଲ୍ କରିଥିବା ବ୍ୟକ୍ତି ନିଜକୁ ବାଘେଶ୍ବର ବାବାଙ୍କ ଧାମର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ବିନିତଙ୍କ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟାର ସମାଧାନ ବାବା କରିଦେବେ ବୋଲି ଭରସା ଦେଇ ପ୍ରଥମେ ୧ ଲକ୍ଷ ଟଙ୍କା ଦାବି କରିଥିଲେ।ଠକମାନଙ୍କ କଥାରେ ପଡ଼ି ବିନିତ ପ୍ରଥମେ ୧ ଲକ୍ଷ ଟଙ୍କା ପଠାଇଥିଲେ। ପରେ ବିଭିନ୍ନ ପୂଜା, ଅନୁଷ୍ଠାନ ଓ ବିଶେଷ କାର୍ଯ୍ୟର ନାମରେ ଧୀରେଧୀରେ ତାଙ୍କ ପାଖରୁ ୧୭ ଲକ୍ଷ ୮୨ ହଜାର ଟଙ୍କା ଅଧିକ ନେଇଥିଲେ। ସମୁଦାୟ ଭାବେ ପ୍ରାୟ ୧୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି।
ଠକାମୀର ଶିକାର ହୋଇଥିବା ବୁଝିବା ପରେ ବିନିତ୍ କୁମାର ସେଠୀ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଫୋନ୍ ନମ୍ବର, ବ୍ୟାଙ୍କ ଲେନଦେନ ଓ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରି ଛାନଭିନ ଆରମ୍ଭ କରିଛି।ଏପରି ଠକେଇ ଘଟଣା ପୁଣିଥରେ ଲୋକଙ୍କୁ ସଚେତନ ରହିବାକୁ ସତର୍କ ସନ୍ଦେଶ ଦେଇଛି। ପୋଲିସ ପକ୍ଷରୁ ଅଜଣା କଲ୍ କିମ୍ବା ଧାର୍ମିକ ନାମରେ ଆସୁଥିବା ଅର୍ଥ ଦାବିରେ ଭରସା ନ କରିବାକୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।

