Mon. Dec 23rd, 2024

ନ୍ୟୁଜ ଡେକ୍ସ: ଏବେ ପଞ୍ଚୁକ ଚାଲିଥିବାରୁ କାଳିଆର ଦର୍ଶନ ପାଇଁ ପୁରୀରେ ହେଉଛି ଅସମ୍ଭବ ଭିଡ଼ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ୍‌ ପ୍ରାଥମିକତା ଦେଉଛି। ମାତ୍ର କାର୍ତ୍ତିକ ମାସ ପରେ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା । ଏହାର ରୂପରେଖ ଏବେ ପ୍ରସ୍ତୁତ ଚାଲିଛି, କିଛି ସ୍ଥିର ହୋଇନି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ।

ପଞ୍ଚୁକର ଏହି ଦ୍ବିତୀୟ ଦିନରେ ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ବରୂପ ଏହି ବେଶ ପଞ୍ଚୁକର ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଅଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ବରେ ସୁନାକିଆ ଶୋଭା ପାଇଥାଏ। କରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନଥିବାରୁ ପତିତପାବନଙ୍କ ଦର୍ଶନ କରି ଭକ୍ତମାନେ ଅଶେଷ ପୁଣ୍ୟ ଲାଭ କରିଛନ୍ତି।

ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ନାଗାର୍ଜୁନ ବେଶରେ ବିଭୂଷିତ ହେବେ। ପଞ୍ଚୁକରେ କାଳିଆ ଦର୍ଶନ ନିମନ୍ତେ ପୁରୀରେ ଅସମ୍ଭବ ଭିଡ଼ ଲାଗି ରହିଛି। ଏହି ସୟମୟରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏଥିସହ ପୁରୀରେ ପ୍ରାୟ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଧାଡ଼ି ମାଧ୍ୟମରେ ପ୍ରବେଶ ସୁଯୋଗ ମିଳୁଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୋଗୁଁ ନାକେଦମ୍ ହେଉଛି ପୁଲିସ ପ୍ରଶାସନ।

Leave a Reply

Your email address will not be published. Required fields are marked *