ନ୍ୟୁଜ ଡେକ୍ସ: ଭାରତର ବାଣ ହବ୍ କୁହାଯାଉଥିବା ତାମିଲନାଡୁର ଶିବକାଶୀରେ ବଡ ଧରଣର ଅଘଟଣ। ମଙ୍ଗଳବାର ଶିବକାଶୀରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ପାଞ୍ଚ ଜଣଙ୍କ ସଙ୍କଟାପନ୍ନ ରହିଛି। ଆହତଙ୍କୁ ବିରୁଧୁନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର କାରଖାନା ନଷ୍ଟ ହୋଇଯାଇଛି। ବିସ୍ଫୋରଣ ପରେ ସବୁଠି ଭଗ୍ନାବଶେଷ ପଡ଼ିଥିବା ଦେଖିବାକୁ ମିଳୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ୟୁନିଟ୍କୁ ବ୍ୟାପିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ। ବିସ୍ଫୋରଣ ପରେ କାରଖାନାରୁ ଧୂଆଁ ବାହାରୁଥିବା ଏବଂ ବାଣ ଫୁଟିବାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା।
ପୋଲିସ, ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି ଏବଂ ବର୍ତ୍ତମାନ ଭଗ୍ନାବଶେଷ ହଟାଇବା କାମ ଚାଲିଛି। ଶିବକାସୀ ନିକଟ ଚିନ୍ନକମନପଟ୍ଟିରେ ଅବସ୍ଥିତ ଏହି ଘରୋଇ ବାଣ ତିଆରି ୟୁନିଟ୍ରେ ରାଜସ୍ୱ ଅଧିକାରୀ ଏବଂ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
