ନ୍ୟୁଜ ଡେକ୍ସ : ବାତ୍ୟା ‘ମୋନ୍ଥା’ ଉପକୂଳ ଆଡକୁ ଗତି କରୁଥିବା ବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଦିନ ଭାରି ବର୍ଷା ହୋଇଛି। ଏହାର ପ୍ରଭାବରେ ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଓ ଘର କ୍ଷତି ଘଟିଥିବା ଖବର ମିଳିଛି।ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତୋଡା ପଞ୍ଚାୟତ ଅଞ୍ଚଳରେ ଲିଙ୍ଗା-ବାରଭା ରାସ୍ତା ପାର୍ଶ୍ୱରେ ଏକ ପାହାଡ଼ ଧସି ପଡ଼ିଥିବାରୁ ବଡ଼ ବଡ଼ ପଥର ଓ ଭଗ୍ନାବଶେଷ ରାସ୍ତା ଅବରୋଧ କରିଛି।
ଫଳସ୍ୱରୂପ, ସେଠାରେ ଯାନବାହନ ଚଳାଚଳ ପୂରାପୂରି ବାଧାପ୍ରାପ୍ତ ହୋଇଛି।ଏପରିକି ରାୟଗଡ଼ା ଜିଲ୍ଲାର ଗୁଣୁପୁର, ଗୁଡାରି ଓ ରାମନାଗୁଡ଼ା ଅଞ୍ଚଳରେ ମଧ୍ୟ ଭାରି ବର୍ଷା ସହ ଜୋର ହାବୁଡ଼ି ହୋଇଥିବାରୁ ଗଛ ଉପୁଡ଼ି ଅନେକ ଘର ଓ ରାସ୍ତା ଉପରେ ପଡ଼ିଛି। ଯାହା ଫଳରେ ଯାତାୟାତ ବ୍ୟବସ୍ଥା ଅସ୍ତବ୍ୟସ୍ତ ହୋଇପଡ଼ିଛି।ଏହି ପରିସ୍ଥିତିରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିୟୋଜିତ ଟିମ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ହୋଇ ପ୍ରାୟ ସାତ ଜଣ ନୋଡାଲ୍ ଅଧିକାରୀଙ୍କୁ ବିଭିନ୍ନ ସେନ୍ସିଟିଭ୍ ଅଞ୍ଚଳରେ ନିୟୋଜିତ କରାଯାଇଛି।ଅଧିକାରୀମାନଙ୍କ କହିବା ଅନୁସାରେ, ବାତ୍ୟା ‘ମୋନ୍ଥା’ ଅଧିକ କିଛି ଘଣ୍ଟା ଧରି ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ତେଣୁ ସମସ୍ତଙ୍କୁ ସଚେତନ ରହିବା ଓ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି।

