Mon. Feb 23rd, 2026

ନ୍ୟୁଜ ଡେକ୍ସ : ଧଉଳି ଅଞ୍ଚଳରେ ଆଜି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ଆଘାତ ଦେଇଛି। ବାପାଙ୍କ ଶେଷଇଚ୍ଛା ପୂରଣ କରିବାକୁ ଶବ ନେଇ ସ୍ବର୍ଗଦ୍ବାର ଅଭିମୁଖେ ବାହାରିଥିବା ପୁଅ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଶେଷରେ ବାପା ଓ ପୁଅଙ୍କ ଜୁଇ ଏକାଠି ସ୍ବର୍ଗଦ୍ବାରରେ ଜଳିଥିବା ଘଟଣା ସ୍ଥାନୀୟମାନଙ୍କୁ ଅଶ୍ରୁସନ୍ନ କରିଦେଇଛି।

ସୂଚନା ଅନୁସାରେ, କଟକ ଚାଉଳିଆଗଞ୍ଜ ଥାନା ଅଧୀନ ଚାନ୍ଦିପଲ୍ଲୀ ଗାଁର ଧ୍ରୁବ ଚରଣ ବରାଳ (୬୫) ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାର ହେଉ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା। ଏହିକାରଣରୁ ପୁଅ ବଳରାମ ମାଲଭାଇ ପରିବାର ଓ ସମ୍ପର୍କୀୟମାନଙ୍କୁ ନେଇ ପୁରୀ ଅଭିମୁଖେ ରବାନା ହୋଇଥିଲେ।ସ୍ବର୍ଗରଥରେ ଧ୍ରୁବଙ୍କ ଶବ ସହ କିଛି ପରିବାର ସଦସ୍ୟ ଯାଉଥିବାବେଳେ, ଅନ୍ୟ ସମ୍ପର୍କୀୟମାନେ ଏକ ବୋଲେରୋରେ ଥିଲେ। ବଳରାମ ନିଜେ ଏକ ବାଇକ୍ ଚଳାଇ ସ୍ବର୍ଗରଥର ଆଗେଆଗେ ଯାଉଥିଲେ। କିନ୍ତୁ ଲିଙ୍ଗିପୁର ଛକ ନିକଟରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ତାଙ୍କ ବାଇକ୍କୁ ଧକ୍କା ଦେଇ ପଳାଇଯାଇଥିଲା। ଗୁରୁତର ଅବସ୍ଥାରେ ସମ୍ପର୍କୀୟମାନେ ବଳରାମଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ କୁ ନେଇଥିଲେ।

ତେବେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାପାଙ୍କ ଶବ ସହ ଅପେକ୍ଷାରତ ପରିବାର ଲୋକେ ପୁଅଙ୍କ ମୃତ୍ୟୁ ଖବର ଶୁଣି ଲିଙ୍ଗିପୁର ଛକରେ କାନ୍ଦବୋବାଳିରେ ଫାଟିପଡ଼ିଥିଲେ।ସନ୍ଧ୍ୟା ସୁଦ୍ଧା ବାପା-ପୁଅଙ୍କ ଶବକୁ ନେଇ ସମ୍ପର୍କୀୟମାନେ ସ୍ବର୍ଗଦ୍ବାରରେ ପହଞ୍ଚି ଉଭୟଙ୍କର ଏକାଠି ଅନ୍ତିମ ସଂସ୍କାର କରିଥିଲେ। ଏହି ମର୍ମାନ୍ତିକ ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇଦେଇଛି।

Leave a Reply

Your email address will not be published. Required fields are marked *