ନ୍ୟୁଜ ଡେକ୍ସ: ସତୁରୀ ବର୍ଷର ଜଣେ ବୃଦ୍ଧ, ନିଜ ପୁଅ-ବୋହୂଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଛି । କାଳେ ଦୁହେଁ ନିଆଁରୁ ବର୍ତ୍ତିଯିବେ, ସେଥିପାଇଁ ଘର କବାଟକୁ ବାହାରପଟୁ ବନ୍ଦ ବି କରିଦେଇଛି । ପତି-ପତ୍ନୀ ଦୁହିଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଆସି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲ୍ ପଠାଇଛନ୍ତି । ଅଭିଯୁକ୍ତ ବାପାକୁ ପୁଲିସ ଘର ଛାତ ଉପରୁ ଧରି ଅଟକ ରଖିଛି । ଏଭଳି ଏକ ଅମାନୁଷିକ, ହୃଦୟଥରା ଅପରାଧ ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି ଅନ୍ତର୍ଗତ ବାରସିଂଗା ଗ୍ରାମରେ ।
ଗୋବର୍ଦ୍ଧନଙ୍କ ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଦୀନବନ୍ଧୁଙ୍କ ପତ୍ନୀ ଆଖି ବୁଜି ଦେଇଥିବା ଜଣାଯାଇଛି। ଦୀନବନ୍ଧୁଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି।ପରିବାର ଲୋକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଦୀନବନ୍ଧୁଙ୍କର ଏକ ଦୋକାନ ରହିଛି। ଟଙ୍କା ନେଣଦେଣକୁ ନେଇ କିଛି ଦିନ ହେବ ଗୋବର୍ଦ୍ଧନ ଓ ଦୀନବନ୍ଧୁଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ଗତ ରାତିରେ ଦୀନବନ୍ଧୁ ଘରକୁ ଫେରି ପତ୍ନୀଙ୍କ ସହ ଖାଇ ବସିଥିଲେ। ଏହି ସମୟରେ ତାଙ୍କ କୁନି ପୁଅ ଖଟ ଉପରେ ବସିଥିଲେ।ସେତେବେଳେ ଗୋବର୍ଦ୍ଧନ ହାତରେ ନିଆଁ ଓ ପେଟ୍ରୋଲ ଧରି ସେଠାରେ ପହଞ୍ଚିଲେ।
ଏହାଦେଖି ଦୀନବନ୍ଧୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଗୋବର୍ଦ୍ଧନ ନିଜ ପୁଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାଦେଖି ଦୀନବନ୍ଧୁଙ୍କ ପତ୍ନୀ ଦୌଡ଼ି ଆସିଥିଲେ। ଫଳରେ ଉଭୟ ପତିପତ୍ନୀ ନିଆଁରେ ଜଳି ଉଠିଲେ। ଖବର ପାଇ ଗାଁ ଲୋକେ ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୀନବନ୍ଧୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ପୁଲିସ ଗୋବର୍ଦ୍ଧନ ରାଉତଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଜଣେ ବାପା ଏପରି ନୃଶଂସ କାଣ୍ଡ ଘଟାଇପାରେ ବୋଲି କେହି ବିଶ୍ୱାସ କରି ପାରୁ ନାହାନ୍ତି।