Thu. Feb 26th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ଐତିହାସିକ ଗୌରବ ବାରବାଟୀ ଦୁର୍ଗର ରୂପରେଖ ବଦଳିବାକୁ ଯାଉଛି। ପର୍ଯ୍ୟଟନକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ ନିର୍ମାଣ ପାଇଁ ଏକ ନୂଆ ଯୋଜନା ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ପର୍ଯ୍ୟଟକମାନେ ଐତିହ୍ୟ ସହିତ ଏକ ଭିନ୍ନ ଓ ସ୍ମରଣୀୟ ଅନୁଭବ ପାଇବେ।ଯୋଜନା ଅନୁସାରେ ୨୦୨୬ ଡିସେମ୍ବର ସୁଦ୍ଧା ବାରବାଟୀ ଦୁର୍ଗର ସୌନ୍ଦର୍ଯ୍ୟକରଣ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହା ସହ ଦୀର୍ଘ ବର୍ଷ ଧରି ଅକାର୍ଯ୍ୟକାରୀ ଅବସ୍ଥାରେ ପଡିରହିଥିବା ଟୁରିଷ୍ଟ୍ ଇଣ୍ଟର୍‌ପ୍ରିଟେସନ୍ ସେଣ୍ଟର (ବ୍ୟାଖ୍ୟାନ କେନ୍ଦ୍ର)କୁ ମଧ୍ୟ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।ଗଡ଼ଖାଇ ଖନନରୁ ମିଳିଥିବା ଦୁର୍ଲଭ ଐତିହାସିକ ସାମଗ୍ରୀଗୁଡ଼ିକୁ ଏହି ବ୍ୟାଖ୍ୟାନ କେନ୍ଦ୍ରରେ ପ୍ରଦର୍ଶନ କରାଯିବ। ସେଥିପାଇଁ ଆଧୁନିକ ବ୍ୟବସ୍ଥା ସହ କାଫେଟେରିଆ, ପାର୍କ, ପିଲାଙ୍କ ପାଇଁ ମନୋରଞ୍ଜନ କ୍ଷେତ୍ର ଆଦି ଗଢ଼ାଯିବ। ଦୁର୍ଗ ଚାରିପାଶ୍ୱର୍ରେ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ଚୂଡାନ୍ତ ହୋଇଛି। ଦୁର୍ଗକୁ ଘେରି ଚାରିଦିଗରେ ପାଥ୍‌ୱେ ନିର୍ମାଣ କରାଯିବ, ଯାହାଦ୍ୱାରା ପର୍ଯ୍ୟଟକ ଓ ସହରବାସୀ ଚାଲିଚାଲି ବାରବାଟୀ ଦୁର୍ଗର ପରିକ୍ରମା କରିପାରିବେ। ଏହି ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର ଡିପିଆର୍ (ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯିବ।

ସୂଚନା ଅନୁସାରେ, ଦୁର୍ଗ ଚାରିପାଶ୍ୱର୍ରେ ଥିବା ଅନେକ ଜମି ଜବରଦଖଲ ଉଚ୍ଛେଦ ପରେ ଏହି ଯୋଜନାକୁ ପ୍ରକୃତ ରୂପ ଦିଆଯିବ। ଆସନ୍ତା ୨ ମାସ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରାଯାଇ କାମ ଆରମ୍ଭ କରିବାକୁ ଯୋଜନା ହୋଇଛି।ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ କହିଛନ୍ତି ଯେ, ଏହି ପ୍ରକଳ୍ପ ସାକାର ହେଲେ ବାରବାଟୀ ଦୁର୍ଗ ପର୍ଯ୍ୟଟକଙ୍କ ପାଇଁ ଆହୁରି ଆକର୍ଷଣୀୟ ହେବ ଏବଂ କଟକ ସହରର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *