Mon. Feb 23rd, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶନିବାର ସକାଳେ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ହସ୍ପିଟାଲର ହାଉସକିପିଂ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଭାଗ୍ୟକ୍ରମେ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇନାହିଁ।ଘଟଣା ପରେ ହସ୍ପିଟାଲ ପ୍ରାଙ୍ଗଣରେ ଥିବା ରୋଗୀ, ଆଟେଣ୍ଡାଣ୍ଟ ଓ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଯାଇଥିଲା।

କିଛି ସ୍ଥାନୀୟ ବାସିନ୍ଦା ହସ୍ପିଟାଲର ଏକ କୋଠରୀରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।ସୂଚନା ପାଇ ଅଗ୍ନିଶମ ବାହିନୀର ଏକ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ନିଆଁ ହସ୍ପିଟାଲର ଅନ୍ୟ ଅଂଶକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀମାନଙ୍କ ସାହାସିକ ପଦକ୍ଷେପ ଦ୍ୱାରା ବଡ଼ ଦୁର୍ଘଟଣା ଟିକସିଗଲା।

ଏହି ଅଗ୍ନିକାଣ୍ଡରେ ହାଉସକିପିଂ ଷ୍ଟୋର ରୁମରେ ସଂରକ୍ଷିତ ଥିବା ଫିନାଇଲ୍, ପୋଷାକ, ଏବଂ ବିଭିନ୍ନ ହସ୍ପିଟାଲ ସାମଗ୍ରୀ ଭଳି ଜିନିଷପତ୍ର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ, ତାହା ଜାଣିବା ପାଇଁ ହସ୍ପିଟାଲ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *