ନ୍ୟୁଜ ଡେକ୍ସ: ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି ସମୟାନୁବର୍ତ୍ତିତା ଛାଟ । ନିର୍ଦ୍ଦେଶ ଦିଆଯାଇଛି, ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦିଅ । ନିର୍ଦ୍ଧାରିତ ସମୟ ପୂର୍ବରୁ ବି ଅଫିସ ଛାଡ଼ି ପାରିବନି । ୩ ଥର ଅଧ ଘଣ୍ଟା ବିଳମ୍ବରେ ଆସିଲେ ଖାତାରୁ ଛୁଟି (ସିଏଲ୍) କଟିବ । ଖାଲି ଏତିକି ନୁହେଁ, ଆଗକୁ ଏଆଇ କ୍ୟାମେରା ଜଗିବ ସରକାରୀ କର୍ମଚାରୀଙ୍କ ଉପସ୍ଥାନ ଓ ଗତିବଧିକୁ ।
ଆରଏଫଆଇଡି ଟେକ୍ନୋଲୋଜି ଭିତ୍ତିକ ସ୍ମାର୍ଟ ପରିଚୟପତ୍ର ଜାରି ହେବ ସରକାରୀ କର୍ମଚାରୀଙ୍କୁ । ଏହି ଆଇକାର୍ଡକୁ ଅଫିସକୁ ପ୍ରବେଶ ଓ ପ୍ରସ୍ଥାନ ସମୟର ପଞ୍ଚିଂ କରିବାକୁ ହେବ । କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ସବୁ ବିଭାଗ ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । କନିଷ୍ଠ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ।
ଅଫିସକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ସବୁ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏସଂକ୍ରାନ୍ତ ଡାଟାକୁ ଏନଆଇସି ଦ୍ବାରା ବିକଶିତ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ପୋର୍ଟାଲକୁ ଲିଙ୍କ କରିବାକୁ କୁହାଯାଇଛି। ସବୁ ସରକାରୀ କର୍ମଚାରୀ ଅଫିସରେ ପହଞ୍ଚିବା ଓ ଅଫିସ ଛାଡ଼ିବା ବେଳେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଉପସ୍ଥାନ ଦେବେ।
