ନ୍ୟୁଜ ଡେକ୍ସ : ଭୁବନେଶ୍ଵର ସହରକୁ ଗୁଟ୍ଖା ମୁକ୍ତ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ଵର ମହାନଗର ନିଗମ (BMC)। ଆଜି ହୋଇଥିବା ବିଏମ୍ସି କର୍ପୋରେସନ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ, ବିଏମ୍ସି ଅଞ୍ଚଳରେ ଗୁଟ୍ଖା ବିକ୍ରି ସମ୍ପୂର୍ଣ୍ଣ ଭାବେ ନିଷେଧ ରହିବ।
ରାଜ୍ୟ ସରକାର ପୂର୍ବରୁ ରାଜ୍ୟବ୍ୟାପୀ ଗୁଟ୍ଖା ଉପରେ ପ୍ରତିବନ୍ଧ ଲାଗୁ କରିଥିବା ବେଳେ, ଏବେ ସେହି ନିୟମକୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ବିଏମ୍ସି ଜୋରଦାର ଏନଫୋର୍ସମେଣ୍ଟ ଆରମ୍ଭ କରିବାକୁ ଯାଉଛି।ନୂଆ ନିଷ୍ପତ୍ତି ଅନୁସାରେ, ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥ ଓ ଅନ୍ୟାନ୍ୟ ଲାଇସେନ୍ସପ୍ରାପ୍ତ ଦୋକାନରେ ଯଦି ଗୁଟ୍ଖା ବିକ୍ରି କରାଯାଏ, ତେବେ ସେହି ଦୋକାନର ଲାଇସେନ୍ସ ତୁରନ୍ତ ବାତିଲ କରାଯିବ। ବିଏମ୍ସି ପକ୍ଷରୁ ଏହାକୁ ନେଇ ସ୍ପଷ୍ଟ ଚେତାବନୀ ଜାରି କରାଯାଇଛି।ବିଏମ୍ସି ମେୟର କହିଛନ୍ତି ଯେ, “ରାଜ୍ୟ ସରକାର ଯେ ଗୁଟ୍ଖା ବ୍ୟାନ କରିଛନ୍ତି, ସେହି ନିୟମକୁ ଭୁବନେଶ୍ଵରରେ କଡାକଡି ପାଳନ କରାଯିବ। ସହରର ଯୁବପିଢି ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ।”
ଏହା ସହିତ, ବିଏମ୍ସି ଅଞ୍ଚଳରେ ଥିବା ସମସ୍ତ ଗୁଟ୍ଖା ସମ୍ପର୍କିତ ହୋର୍ଡିଂ, ପୋଷ୍ଟର ଓ ବିଜ୍ଞାପନ ବାହାର କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଗୁଟ୍ଖା ପ୍ରଚାର କରୁଥିବା କୌଣସି ପ୍ରକାରର ସାମଗ୍ରୀ ସହରରେ ଦେଖାଗଲେ, ସେଗୁଡ଼ିକୁ ତୁରନ୍ତ ହଟାଯିବ ଏବଂ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ନିଶାଦ୍ରବ୍ୟ ନିୟନ୍ତ୍ରଣକୁ ଆହୁରି ମଜବୁତ କରିବା ପାଇଁ, ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଗଠନ କରାଯିବ। ଏହି ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ହଠାତ୍ ଯାଞ୍ଚ କରିବ, ଗୁଟ୍ଖା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି ହେଉଛି କି ନାହିଁ, ସେଥିରେ କଡା ନଜର ରଖିବ।
ନିୟମ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ବିରୋଧରେ ଜରିମାନା ସହିତ ସହିତ ଆଇନଗତ ପଦକ୍ଷେପ ମଧ୍ୟ ନିଆଯିବ।ବିଏମ୍ସିର ଏହି କଠୋର ପଦକ୍ଷେପ ଦ୍ୱାରା ଭୁବନେଶ୍ଵରକୁ ଗୁଟ୍ଖା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ମୁକ୍ତ ସହର କରିବା ଦିଗରେ ଏକ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।

