Sun. Feb 22nd, 2026

ନ୍ୟୁଜ ଡେକ୍ସ : ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାକୁ ଆହୁରି ସୁଦୃଢ଼ ଓ ପାରଦର୍ଶୀ କରିବାକୁ ରାଜ୍ୟ ସରକାର ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଗ୍ରାମସଭାର ଭାଗୀଦାରିକୁ ବଢ଼ାଯାଇଥିବା ବେଳେ, ପ୍ରକଳ୍ପର ଗୁଣବତ୍ତା ଓ ଦାୟିତ୍ୱକୁ ନେଇ କଠୋର ନିୟମ ଲାଗୁ କରାଯାଇଛି।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକାଶିତ ସଂକଳ୍ପନାମା ଅନୁଯାୟୀ, ଯୋଜନା ଅଧୀନରେ ନିର୍ମାଣ ହେଉଥିବା କୌଣସି ପ୍ରକଳ୍ପରେ ତ୍ରୁଟି ବା କ୍ଷତି ଦେଖାଦିଲେ ସମ୍ପୃକ୍ତ ଠିକା ସଂସ୍ଥାକୁ ତାହାର ଭରଣା କରିବାକୁ ପଡ଼ିବ।

ବିଶେଷକରି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ୩ ବର୍ଷର ‘ଡିଫେକ୍ଟ ଲାଏବିଲିଟି ପିରିୟଡ୍’ ନିୟମ ଲାଗୁ ହେବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ତିନି ବର୍ଷ ପର୍ଯ୍ୟନ୍ତ ଯେକୌଣସି ତ୍ରୁଟି ବିଚ୍ୟୁତି ଓ ରକ୍ଷଣାବେକ୍ଷଣ ପାଇଁ ଠିକା ସଂସ୍ଥା ଦାୟୀ ରହିବ।ନୂଆ ନିୟମରେ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟାକୁ ସରଳ କରାଯାଇଥିବା ବେଳେ, ଦୀର୍ଘମିଆଦି ଓ ସ୍ଥାୟୀ ପ୍ରକଳ୍ପ ସଂଖ୍ୟା ବଢ଼ାଇବା ପାଇଁ ବ୍ୟବସ୍ଥା ହୋଇଛି। ସଂକଳ୍ପନାମା ଅନୁଯାୟୀ, ସ୍ଥାନୀୟ ଆବଶ୍ୟକତା ଓ ମିଳିଥିବା ଅନୁଦାନକୁ ଦୃଷ୍ଟିରେ ରଖି ଗ୍ରାମସଭା ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିବ। ଏହି ପ୍ରସ୍ତାବଗୁଡ଼ିକୁ ବ୍ଲକ୍ ସ୍ତରର ନୋଡାଲ ଅଧିକାରୀ ସଂଗ୍ରହ କରି ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ଏହାସହ ଜିଲ୍ଲାପାଳ ପ୍ରତିବର୍ଷ ନୋଟିସ ପ୍ରକାଶ କରି ପଞ୍ଚାୟତିରାଜ ସଂସ୍ଥା, ନିର୍ବାଚିତ ଜନପ୍ରତିନିଧି ଓ ସାମାଜିକ ସଂଗଠନମାନଙ୍କ ଠାରୁ ପ୍ରକଳ୍ପ ପ୍ରସ୍ତାବ ଆହ୍ବାନ କରିବେ।

ଏହି ନୋଟିସ ଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ୍, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ୱେବସାଇଟ୍‌ ଏବଂ ପଞ୍ଚାୟତ ସ୍ତରରେ ପ୍ରଦର୍ଶିତ ହେବ। ନୋଟିସ ପ୍ରକାଶ ପରେ ୭ ଦିନ ମଧ୍ୟରେ ପ୍ରସ୍ତାବ ଦାଖଲ କରିବା ଆବଶ୍ୟକ ହେବ।ପ୍ରକଳ୍ପ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କମିଟିର ଆବାହକ ରହିବେ। ଏହାସହ ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ।ସମ୍ପୃକ୍ତ ଆର୍ଥିକ ବର୍ଷରେ ମିଳିଥିବା ପାଣ୍ଠିକୁ ବିଚାର କରି ଗ୍ରାମସଭାରୁ ଆସିଥିବା ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଅନୁମୋଦନ ଦିଆଯିବ। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଗ୍ରାମୀଣ ଉନ୍ନତିକୁ ଗତି ମିଳିବା ସହ ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ଓ ଦୀର୍ଘକାଳୀନ ସ୍ଥାୟୀତ୍ୱ ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *