Thu. Mar 5th, 2026

ନ୍ୟୁଜ ଡେକ୍ସ : ଗତ ୨୦ ମାସ ଧରି ରାଜ୍ୟ ସରକାର ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଦୃଷ୍ଟିକୋଣକୁ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସଂପ୍ରସାରଣ ଓ ସାଂସ୍କୃତିକ ପୁନରୁତ୍ଥାନ ମାଧ୍ୟମରେ ରୂପାୟନ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ଆଜି Mohan Charan Majhi ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଆୟୋଜିତ ‘ବିକାଶ ମନ୍ଥନ 1.0 : ଗଭର୍ଣ୍ଣାନ୍‌ସ ଇନ୍ ଆକ୍ସନ୍’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅବସରରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ଦୃଢ଼ ନେତୃତ୍ୱ, ସ୍ପଷ୍ଟ ନୀତି ଓ ସାମୂହିକ ସଙ୍କଳ୍ପ ଦ୍ୱାରା ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଦୟ ହୋଇପାରିଛି।

ଏହି କାର୍ଯ୍ୟକ୍ରମର ସହଆୟୋଜକ Odisha Centre for Integrated Developmentଙ୍କ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସ୍ପଷ୍ଟ ମାର୍ଗଦର୍ଶନ ଓ ବିଚାରବିମର୍ଶ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି। ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ ସହ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଥିବା ବେଳେ ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।ସେ କହିଥିଲେ ଯେ ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି।

ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ ରହିଛି, ଯାହା GSDP ର ୬.୫ ପ୍ରତିଶତ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ୧୩.୬ ପ୍ରତିଶତ ରହିଥିବା ବେଳେ ଏହା FRBM ସୀମାଠାରୁ କମ୍।ସାମାଜିକ କ୍ଷେତ୍ରରେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ଲାଭ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀମାନଙ୍କ ଭରସା ବଢ଼ିଛି। ୨୦୨୪-୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ସହ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ ହୋଇଛି।

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ ପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ ହେଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬-୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି।ଦୃଢ଼ ନୀତି, ଶାସନର ପାରଦର୍ଶିତା ଓ ସାମୂହିକ ସହଯୋଗ ଦ୍ୱାରା ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ଓ ଆତ୍ମନିର୍ଭର ରାଜ୍ୟରେ ପରିଣତ କରିବା ସରକାରର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପୁନରୁଚ୍ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *