Sat. Feb 21st, 2026

ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲା ବିଜେଡି ନେତାଙ୍କ ଘରୋଇ ବୈଠକ ଓ ପରେ ନବୀନ ନିବାସରେ ବରିଷ୍ଠ ନେତାଙ୍କ ଯାତାୟାତକୁ ନେଇ ବିଜେଡିରେ ବଡ଼ ରାଜନୈତିକ ହଲ୍ଚଲ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଦିନ ଶେଷରେ କୌଣସି ଠୋସ୍ ନିଷ୍ପତ୍ତି କିମ୍ବା ସ୍ପଷ୍ଟ ଘୋଷଣା ନ ହେବାରୁ ଏହା କେବଳ “ହଟଚମଟ” ମାତ୍ର ବୋଲି ସ୍ପଷ୍ଟ ହୋଇଛି।ଦୁଇ ବିଧାୟକଙ୍କ ନିଲମ୍ବନ ପରେ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ଅସନ୍ତୋଷ ତୀବ୍ର ହୋଇଛି।

ବିଶେଷ କରି ଅରବିନ୍ଦ ମହାପାତ୍ରଙ୍କ ରହସ୍ୟଜନକ ନିଲମ୍ବନ ଦଳକୁ ଅଡ଼ୁଆରେ ପକାଇଦେଇଛି। ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି, ଯେଉଁଥିରେ ଦଳର ସୋସିଆଲ୍ ମିଡିଆ ଟିମ୍ ମଧ୍ୟ ନିଜ ବକ୍ତବ୍ୟରେ ପ୍ରଭାବ ସୃଷ୍ଟି କରିପାରୁନାହିଁ।ପୂର୍ବେ କ୍ଷମତାରେ ଥିବା ସମୟରେ ନିଲମ୍ବନକୁ ଦଳୀୟ ଶକ୍ତି ଭାବେ ପ୍ରଦର୍ଶନ କରୁଥିବା ବିଜେଡି, ଏବେ ବିରୋଧୀ ଦଳ ଭାବେ ସେହି ରଣନୀତିରେ ସଫଳ ହେଉନାହିଁ। ଦଳ ଭିତରୁ ମଧ୍ୟ ମତ ଆସୁଛି ଯେ, ନିର୍ବାଚିତ ବିଧାୟକଙ୍କୁ ଦୂରେଇ ଦେବା ରାଜନୈତିକ ଭାବେ ହାନିକାରକ।

ଏହି ପରିସ୍ଥିତି ପରେ ନବୀନ ପଟ୍ଟନାୟକ ନିଜେ ବିଚଳିତ ହୋଇ ବରିଷ୍ଠ ନେତା ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ପ୍ରମିଳା ମଲ୍ଲିକଙ୍କୁ ନବୀନ ନିବାସକୁ ଡାକିଥିଲେ। ସେଠାରେ ସାଂଗଠନିକ ଆଲୋଚନା ହେଲେ ବି କୌଣସି ସ୍ପଷ୍ଟ ଦିଗନିର୍ଦ୍ଦେଶ ମିଳିଲା ନାହିଁ।ଦଳ କି ଆଭିମୁଖ୍ୟ ନେବ ଓ କିପରି ଏହି ସଙ୍କଟରୁ ବାହାରିବ, ସେଥିପାଇଁ ସମସ୍ତଙ୍କ ନଜର ଆସନ୍ତା ଦିନର ଘୋଷଣା ଉପରେ ରହିଛି।

Leave a Reply

Your email address will not be published. Required fields are marked *