ନ୍ୟୁଜ ଡେକ୍ସ : ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଦଳ ମଧ୍ୟରେ ଶିସ୍ତ ଓ ଏକତାକୁ ନେଇ ନେତୃତ୍ୱର ପକ୍ଷରୁ କଡ଼ା ବାର୍ତ୍ତା ଦିଆଯାଇଛି। ଏହି ଅବସରରେ ସାଂସଦ ମୁନ୍ନା ଖାଁ “ଦୁଇ ମୁଣ୍ଡିଆ” ନେତାମାନଙ୍କ ବିରୋଧରେ କଡ଼ା ଆଭିଯୋଗ ଆଣି କହିଛନ୍ତି ଯେ, ଦୁଇ ପଟେ ଚାଲାକି ଦେଖାଇ ରାଜନୀତି କରିବା ଆଉ ଚଳିବ ନାହିଁ।
“ଏମିତି ଦୁଇ ମୁଣ୍ଡିଆଙ୍କୁ ଆମେ କେବେ ଛାଡ଼ିବୁ ନାହିଁ,” ବୋଲି ସେ ସ୍ପଷ୍ଟ କରିଛନ୍ତି। ମୁନ୍ନା ଖାଁ କହିଛନ୍ତି, ବିଜୁ ବାବୁଙ୍କ ଆଦର୍ଶରେ ଦଳ ଗଢ଼ିଉଠିଥିଲା। ନବୀନ ପଟ୍ଟନାୟକ ଦଳର ନେତୃତ୍ୱ ନେବା ପରେ ଶାନ୍ତି ଓ ଶୃଙ୍ଖଳାର ପଥକୁ ଆମକୁ ଶିଖାଇଛନ୍ତି। “ବର୍ତ୍ତମାନ ସମୟ ଆସିଛି ବିଜୁ ବାବୁଙ୍କ ଫର୍ମୁଲାକୁ ପୁଣି ଆପଣେଇବାର,” ବୋଲି ସେ କହିଛନ୍ତି। ସେ ସମସ୍ତ କର୍ମୀ ଓ ନେତାମାନଙ୍କୁ ଆହ୍ବାନ ଦେଇ କହିଛନ୍ତି, କାହାର ଚାପଲୁସି କରିବା ନାହିଁ, କାହା ଅଣ୍ଡରରେ ରହିବା ନାହିଁ—କେବଳ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାମ କରିବା।
ଏହି ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ବିରୋଧୀଙ୍କୁ କଡ଼ା କାଉଣ୍ଟର ଦେଇଛନ୍ତି। ସେ କହିଛନ୍ତି, “ବିଜେଡି ଅଛି ଓ ଶହେ ବର୍ଷ ରହିବ।” କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି ଏବଂ ଦଳ ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ସେସବୁ କଥା ନିରାଧାର ବୋଲି ନବୀନ ସ୍ପଷ୍ଟ କରିଛନ୍ତି।ପ୍ରତିଷ୍ଠା ଦିବସର ମଞ୍ଚରୁ ମିଳିଥିବା ଏହି ବାର୍ତ୍ତା ଦଳ ମଧ୍ୟରେ ଶିସ୍ତ, ଏକତା ଓ ଦୃଢ଼ ନେତୃତ୍ୱର ସଙ୍କେତ ଦେଇଛି।

