Thu. Oct 23rd, 2025

ନ୍ୟୁଜ ଡେକ୍ସ: ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥଶାସ୍ତ୍ରୀ, ଭାରତୀୟ ଅର୍ଥନୀତିର ଅନ୍ୟତମ ବିନ୍ଧାଣୀ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଘାଟରେ ଏକ ଶୋକାକୂଳ ପରିବେଶରେ ଶନିବାର ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ସହିତ ସେ ଚିରକାଳ ପାଇଁ ଇହ ଜଗତରୁ ବିଦାୟ ନେଇଛନ୍ତି।

ସ୍ଥଳସେନା, ବାୟୁସେନା ଓ ନୌସେନା ତଫରୁ ମନମୋହନ ସିଂହଙ୍କୁ ସଲାମି ଦିଆଯାଇଛି। ଶିଖ ରୀତିନୀତି ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା, ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ସମେତ ବହୁ ବଡ଼ ବଡ଼ ନେତା ଏଥିରେ ଯୋଗ ଦେଇଥିଲେ।

ସକାଳୁ ମନମୋହନଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବା ସହ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ ଶୋଭାଯାତ୍ରାରେ ନିଗମବୋଧ ଘାଟକୁ ପାର୍ଥିବ ଶରୀର ନିଆଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି।ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୯୨ ବର୍ଷ ବୟସରେ ଆଖି ବୁଜିଥିଲେ ମନମୋହନ ସିଂହ।

Leave a Reply

Your email address will not be published. Required fields are marked *