ନ୍ୟୁଜ ଡେକ୍ସ : ରାଜ୍ୟ ବିଧାନସଭାର ଚାଲୁଥିବା ଶୀତ ଅଧିବେଶନର ନବମ ଦିନରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ଗୃହକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ଓଡ଼ିଶାରେ ମୋଟ ୭୪ହଜାର ୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି।ତଥ୍ୟ ଅନୁସାରେ ଏହି କେନ୍ଦ୍ରମାନଙ୍କ ମଧ୍ୟରୁ ୨୦ହଜାର ୧୫୦ଟି ଅଙ୍ଗନବାଡ଼ି କେନ୍ଦ୍ରର ଏପର୍ଯ୍ୟନ୍ତ ନିଜସ୍ୱ ଗୃହ ନାହିଁ।
ଏହା ମଧ୍ୟରୁ ୩ହଜାର ୮୯୦ଟି କେନ୍ଦ୍ର ଭଡା ଘରେ ଚାଲୁଥିବା ବେଳେ ୧୦ହଜାର ୪୬୯ଟି କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀ କେନ୍ଦ୍ରରେ କାର୍ଯ୍ୟରତ ଅଛି। ସେହିପରି ୪ହଜାର ୫୭୪ଟି ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟ ପରିସରରୁ ପରିଚାଳିତ ହେଉଛି।ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିଜସ୍ୱ ଗୃହ ନଥିବା ୨୦ହଜାର ୧୫୦ଟି କେନ୍ଦ୍ର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ପ୍ରାୟ ସମାପ୍ତ ହୋଇସାରିଛି।
ବିଶେଷକରି ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୦ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୬ କୋଟି ଟଙ୍କା ମଞ୍ଜୁରି ମିଳିଥିବା ବେଳେ ପ୍ରତ୍ୟେକ କେନ୍ଦ୍ର ପାଇଁ ୧୨ ଲକ୍ଷ ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି। ଏହା ସହିତ ଏକ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।

